୮୩ଟି ଉଚ୍ଚ ବିଦ୍ୟାଳୟର ୫-ଟି ଆଧାରରେ ରୂପାନ୍ତରୀତ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ।

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରି କରାଯାଇଥିବା ପ୍ଲାଷ୍ଟିକର ବ୍ୟବହାର ଶୂନ କାର୍ଯ୍ୟକ୍ରମକୁ ସବୁ ମହଲରେ ଭୂୟସି ପ୍ରଶଂସା କରାଯାଇଛି । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇ ଏହି କାର୍ଯ୍ୟକୁ ଆହୁରି ତ୍ବରାନ୍ବୀତ କରିବା ନେଇ ଜଣାଇଥିଲେ । ମଙ୍ଗଳବାର ଅନୁଷ୍ଠିତ ଆଭାସୀ ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଜଳ ସ୍ବଚ୍ଛତା ଏବଂ ପ୍ଲାଷ୍ଟିକର ଶୂନ ବ୍ୟବହାର କରିବା ନେଇ ଆଗାମୀ ସୋମବାର ଠାରୁ ପ୍ରତ୍ୟେକ ସୋମବାର ଦିନ ପୂର୍ବାହ୍ନ ସମୟରେ ୩ ଘଣ୍ଟା ବିନିଯୋଗ କରି ଏହି କାର୍ଯ୍ୟ କରନ୍ତୁ ବୋଲି ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲାରେ ରହିଥିବା ଜଳଉତ୍ସ ଗୁଡିକର ତଥ୍ୟ ସଂଗ୍ରହ କରାଯିବ । ଲୋକମାନଙ୍କର ବ୍ୟବହାର ଦିଗରେ କେତେ ପୋଖରୀ ରହିଛି, ସେଗୁଡିକ କେତେ ଅଞ୍ଚଳରେ ବ୍ୟାପ୍ତ, ପୂର୍ବରୁ ପୋଖରୀର ଉନ୍ନତି ଦିଗରେ କେଉଁ ସବୁ କାର୍ଯ୍ୟ ହୋଇଛି ଏବଂ କେଉଁ ସବୁ କାର୍ଯ୍ୟ କରିବାର ଆବଶ୍ୟକତା ରହିବ ସେହି ତଥ୍ୟକୁ ଆଧାର କରି ଆଗାମୀ କାର୍ଯ୍ୟପନ୍ଥା କଣ କରାଯିବ ତାହା ସ୍ଥିର କରାଯାଇ କାର୍ଯ୍ୟକାରୀ କରାଯିବ । ସମସ୍ତ ପୋଖରୀର ପରିଚାଳନା ଦିଗରେ ସ୍ଥାନୀୟ କମିଟି ଗଠନ କରାଯାଇ ସେମାନଙ୍କ ଦ୍ବାରା ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ହେବ । ଏହି ସମସ୍ତ କାର୍ଯ୍ୟ “ଆମ ପୋଖରୀ ଆମ ଦାୟୀତ୍ବ” ସ୍ଲୋଗାନ ନେଇ କାର୍ଯ୍ୟ ହେବ । ଜଳ ସ୍ବଚ୍ଛତା ପରୀକ୍ଷଣ ହୋଇ ପୋଖରୀ ସୌନ୍ଦର୍ଯ୍ୟକରଣ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲାରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପୋଖରୀରେ ଖୋଲା ଗାଧୋଇବା ସ୍ଥାନ ଏବଂ ପୋଖରୀ ନିକଟରେ ସଠିକ୍ ଶୌଚାଳୟ ନିର୍ମାଣ ହେବ । ଆବର୍ଜନା ସଫେଇ କାର୍ଯ୍ୟ ଅନବରତ ଚାଲୁ ରଖିବାକୁ ପଡିବ । ଏହା ସମସ୍ତ କାର୍ଯ୍ୟ ପରିଚାଳନା କରିବା କଷ୍ଟକର । କିନ୍ତୁ ଏହାକୁ ଏକ ବର୍ଷ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତର କରାଯାଇ ଲୋକଙ୍କର ଅଭ୍ୟାସକୁ ସଠିକ ପରିଚାଳନା କରାଗଲେ ନିଶ୍ଚିତରୂପେ ଏହା ସଫଳ ହେବ ଏବଂ ଗଞ୍ଜାମ ଜିଲ୍ଲାର ସୁନାମ ବଢିବ । ଏଥିଯୋଗୁଁ ଗୋଷ୍ଠୀଗତ ସହଭାଗିତା ଆବଶ୍ୟକ ଏବଂ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏସ୍.ଓ.ପି. ଜାରି କରାଯିବ ଏବଂ “ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା” ସ୍ଲୋଗାନ ନେଇ ଏହି କାର୍ଯ୍ୟଧାରା ଚାଲୁ ରଖାଯିବ ।  ଚଳିତ ଦଶହରା ପୂଜା ସମୟରେ କୋଭିଡ୍ ନିୟମ ଅନୁପାଳନ କରିବାକୁ ଜନ ସାଧାରଣଙ୍କୁ କୁହାଯାଇଛି । ପାର୍ବଣ ଋତୁରେ ଜନ ସାଧାରଣ ଭିଡ ଜମାନ୍ତୁ ନାହିଁ କିମ୍ବା ଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ବ୍ୟବହାର ସୁନିଶ୍ଚିତ କରନ୍ତୁ । ସମସ୍ତ ପୂଜା ମଣ୍ଡପରେ ଜନଗହଳି ଯେପରି ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ପୂଜା କମିଟି ପୂଜା କରନ୍ତୁ । ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟ ମଧ୍ୟରେ ସିମୀତ ରଖନ୍ତୁ । ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଲୋକଙ୍କୁ ଆକର୍ଷିତ କରିବ ଏବଂ ଗହଳି ବୃଦ୍ଧି ହେବ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚତାକୁ ସିମୀତ ରଖିବା ନେଇ ସରକାରୀ କଟକଣା ରହିଛି । ଦୋକାନ ବଜାର ଗୁଡିକରେ ଗହଳି ଯେପରି ହେବ ନାହିଁ ସେ ଦିଗରେ ଦୋକାନୀ ସତର୍କ ରୁହନ୍ତୁ । ଗ୍ରାହକ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନର ବ୍ୟକ୍ତି ବିଶେଷ ଉଭୟେ ମାସ୍କର ବ୍ୟବହାର ସୁନିଶ୍ଚିତ କରନ୍ତୁ । ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ନଚେତ୍ ତୃତୀୟ ଲହର ବ୍ୟାପୀବାର ସମ୍ଭାବନା ରହିଛି । ଚଳିତ ପାର୍ବଣ ଋତୁର ବାଣ ଫୁଟା ଦିଗରେ ସରକାରଙ୍କ କଟକଣାକୁ କଡାକଡି କରାଯିବ । ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ କାର୍ଯ୍ୟପନ୍ଥା ସ୍ଥିର କରି ଚଢାଉ କାର୍ଯ୍ୟ ଜାରି ରଖିବେ । ସମସ୍ତ ପୂଜା ମଣ୍ଡପ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଗ୍ରହଣ କରି ପୂଜା କରିବେ ଏବଂ ମାର୍ଗ ଦର୍ଶିକାର ସଠିକ୍ ଅନୁପାଳନ କରିବା ନିମନ୍ତେ କୁହାଯାଇଛି । ଚଳିତ ବର୍ଷ ଦାଣ୍ଡିଆ କିମ୍ବା ଗରବା ନୃତ୍ୟକୁ ବାରଣ କରାଯାଇଛି ।
ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ଉଚ୍ଚ ବିଦ୍ୟାଳୟର ୫-ଟି ଆଧାରରେ ରୂପାନ୍ତରୀତ କାର୍ଯ୍ୟ ଚଳିତ ଅକ୍ଟୋବର ମାସ ଶେଷ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ପୂଜା ଛୁଟି ସମୟରେ ବିଦ୍ୟାଳୟ ଗୁଡିକର ଉନ୍ନୟନ କାର୍ଯ୍ୟ ଚାଲୁ ରହିବ । ଆଗାମୀ ନଭେମ୍ବର ପ୍ରଥମ ସପ୍ତାହ ରେ ଉକ୍ତ ବିଦ୍ୟାଳୟ ଗୁଡିକର ଲୋକାର୍ପଣ ହେବ । ଡିଜିଟାଲ ପାଓ୍ବାର ପ୍ରେଜେଣ୍ଟେସନ୍ ଦ୍ବାରା ସ୍ମାର୍ଟ କ୍ଲାସର ସଠିକ ଶିକ୍ଷା ପ୍ରଦାନ କରାଯିବ । ଏଣୁ ଏହି ଜିଲ୍ଲାରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟରରେ ଅଭିଜ୍ଞ ଶିକ୍ଷକ ମାନଙ୍କର ଚିହ୍ନଟ କରନ୍ତୁ ବୋଲି ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ସେମାନଙ୍କ ଦ୍ବାରା ପାଓ୍ବାର ପଏଣ୍ଟ ବ୍ୟାଙ୍କ ପ୍ରସ୍ତୁତ କରାଯାଇ ଶିକ୍ଷା ପ୍ରଦାନ କରାଯିବ । ଏହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ, ଓ୍ବ କୀର୍ତ୍ତି ଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗହଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ