୮୮ ପୃଷ୍ଠାର ଏଫ୍ଆଇଆର୍

ଡେରାଡୁନ୍: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍ଆଇଆର (ଫାଷ୍ଟ ଇନ୍ଫର୍ମେଶନ ରିପୋର୍ଟ) । ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍ଆଇଆର୍ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲ୍ଲା କୋତୱାଲି ଥାନାରେ । ଇତିମଧ୍ୟରେ ୪ଦିନ ବିତିଗଲାଣି । ଏହାକୁ ଶେଷ କରିବାକୁ ଆହୁରି ୨-୩ ଦିନ ଲାଗିବ । ଉଭୟ ଇଂଲିଶ ଏବଂ ହିନ୍ଦୀରେ ଲେଖାଯାଉଥିବା ଏହି ଏଫ୍ଆଇଆର୍ ଏବେ ଥାନା କର୍ମଚାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି ।  ଏତେ ଲମ୍ବା ଏଫ୍ଆଇଆର୍ ଲେଖାଯିବା ପଛର କାରଣ ଅଟଳ ଆୟୁଷ୍ମାନ ଯୋଜନାରେ ମହାଦୁର୍ନୀତି । ରାମନଗର ରୋଡ୍ ସ୍ଥିତ ଏମ୍ପି ହସ୍ପିଟାଲ ଏବଂ ତହସିଲ ରୋଡ୍ରେ ଥିବା ଦେବକୀନନ୍ଦନ ହସ୍ପିଟାଲ ଏହି ସ୍କାମ୍ରେ ଫସିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍ର ଅଡିଟ୍ରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କଳାକାରନାମା ଧରାପଡ଼ିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜାଣତରେ ବଡ଼ ଧରଣର ଅର୍ଥ ତୋଷରପାତ ହୋଇଛି । ରୋଗୀଙ୍କ ନାମରେ ମିଥ୍ୟା ବିଲ୍ କରାଯାଇଛି । ରୋଗୀଙ୍କୁ ଡିସ୍ଚାର୍ଜ କରି ଦିଆଯିବା ପରେ ବି ସେମାନେ ଚିକିତ୍ସାଧୀନ ଥିବା ଦର୍ଶାଯାଇ ବିଲ୍ କଟାଯାଇଛି । ଡାକ୍ତରଖାନା ଆଇସିୟୁରେ କ୍ଷମତାଠାରୁ ବହୁ ଗୁଣ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ରେଜିଷ୍ଟରରେ ଦର୍ଶାଯାଇଛିୟ କେବଳ ଏତିକି ନୁହେଁ, ସାଧାରଣ ଡାଏଲିସିସ୍ କାର୍ଯ୍ୟରେ ଏମ୍ବିବିଏସ୍ ଡାକ୍ତର ନିୟୋଜିତ ହୋଇଥିବା ରିପୋର୍ଟ ଦିଆଯାଇଛି । ବିନା ଚିକିତ୍ସାରେ ବିଲ୍ ଆବେଦନ କରାଯାଇଛି, ଯାହାର ସୂଚନା ସମ୍ପୃକ୍ତ ରୋଗୀଙ୍କ ପାଖରେ ମଧ୍ୟ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଟିମ୍ର ଖୋଳତାଡ଼ରୁ ଏପରି ସାଂଘାତିକ ଦୁର୍ନୀତି ପଦାକୁ ଆସିଛି । ଏହା ପରେ ଆୟୁଷ୍ମାନ ଯୋଜନାର ସହାୟକ ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ର ଦୁଇ ହସ୍ପିଟାଲ ସଞ୍ଚାଳକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୋଟିଏ ହସ୍ପିଟାଲ ବିରୋଧରେ ୬୪ ପୃଷ୍ଠା ଏବଂ ଅନ୍ୟଟି ପାଇଁ ୨୪ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରାଯାଇଛି । ହେଲେ ଏଫ୍ଆଇଆର୍ ଟାଇପ୍ କରିବା ଲାଗି ବ୍ୟବହୃତ ସଫ୍ଟୱେର କ୍ଷମତା ୧୦ ହଜାର ଶବ୍ଦ ଭିତରେ ସୀମିତ । ତେଣୁ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ଅତିରିକ୍ତ ଏସ୍ପି ଜଗଦୀଶ ଚନ୍ଦ୍ର କୁହନ୍ତି, ଏହା ହେଉଛି ଅଭିଯୋଗପତ୍ରର ମୂଳ କପି; ଯେଉଁଥିରେ ସମସ୍ତ ତଥ୍ୟ ରହିଛି । ଏଥିରେ ଯେପରି କୌଣସି ପ୍ରକାର ହଟଚମଟ ନ ହୁଏ ସେଥିପାଇଁ ସତର୍କତାର ସହ ଏହାକୁ ହାତରେ ଲେଖାଯାଉଛି । ଏଥିପାଇଁ ନିୟୋଜିତ ହୋଇଛନ୍ତି ଥାନାର ୪ କର୍ମଚାରୀ । ଅନ୍ୟପଟେ ପୋଲିସର ସମସ୍ୟା କେବଳ ଏଫ୍ଆଇଆର୍ ଲେଖିବା ଭିତରେ ସୀମିତ ନାହିଁ । ଗୋଟିଏ ପୃଷ୍ଠା ଲିଖିତ ଅଭିଯୋଗର ତଦନ୍ତ ଏବଂ ଚାର୍ଜଶିଟ୍ ଦାଖଲ କରିବାକୁ ହାରାହାରି ୧୫ଦିନ ସମୟ ଲାଗିଥାଏ । ହେଲେ ଏତେ ବଡ଼ ଦୁର୍ନୀତିର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ୩ ମାସ ସମୟ ଦିଆଯାଇଛି, ଯାହା ଅସମ୍ଭବ ମନେହେଉଛି । ଏଫ୍ଆଇଆର୍ ଲେଖା ଶେଷ ହେବାପରେ ଏହାର ଚାର୍ଜଶିଟ୍ ଦାଖଲ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ