୯ମ ଶ୍ରେଣୀର ବାକି ପରୀକ୍ଷା ହେବନି

ଭୁବନେଶ୍ୱର: ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ବାକି ଥିବା ଗୋଟିଏ ବିଷୟର ପରୀକ୍ଷା ହେବ ନାହିଁ । ଯେଉଁ ୫ଟି ବିଷୟର ପରୀକ୍ଷା ସରିଛି, ତାହାର ଉତ୍ତର ଖାତା ଗୁଡ଼ିକ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯିବ । ଉକ୍ତ ଉତ୍ତର ଖାତାଗୁଡ଼ିକ କିଭଳି ଶିକ୍ଷକମାନେ ଘରେ ରହି ମୂଲ୍ୟାୟନ କରିବେ, ସେ ନେଇ ଆଲୋଚନା ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଅନ୍ୟ ପକ୍ଷରେ ବର୍ତ୍ତମାନ ସ୍ଥିତିରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ କିଭଳି ଅଧିକ ପଦକ୍ଷେପ ନିଆଯାଇପାରି, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଏହି କମିଟିର ପ୍ରଥମ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି । ଆଗକୁ ଏହି କମିଟିର ବୈଠକ ନିୟମିତ ଭାବେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତ ଲାଗି କି କି ପଦକ୍ଷେପ ନିଆଯିବ ସେ ନେଇ ଏହି କମିଟି ନିଷ୍ପତ୍ତି ନେବ । ଆଗାମୀ ଦିନରେ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଏହା କିଭଳି ଫଳପ୍ରଦ ହୋଇପାରିବ ସେ ନେଇ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘଙ୍କ ସହ ଆଲୋଚନା ଜାରି ରହିଛି ।
ସୂଚନା ଅନୁଯାୟୀ ୯ ମ ଶ୍ରେଣୀରେ ପଢ଼ୁଥିବା ତଥା ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଲକଡାଉନ ଉଠିବା ପରେ ଏ ନେଇ ଆଲୋଚନା କରାଯିବ । କେନ୍ଦ୍ରସରକାରଙ୍କ ‘ଦୀକ୍ଷା’ ଆପ ଦ୍ୱାରା ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ିବା ଲାଗି କୁହାଯିବ । ଏବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୯ମ ଶ୍ରେଣୀରେ ୬ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଆଗକୁ ସେମାନଙ୍କର ଦଶମ ଶ୍ରେଣୀ ହେବାକୁ ଥିବାରୁ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁମାନେ ଭଲ ପାଠ ପଢ଼ୁଛନ୍ତି, ସେମାନେ ଅପେକ୍ଷା ନକରି ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ କରିଦେଲେଣି । ଆଉ ଯେଉଁମାନେ ଅଛନ୍ତି, ଛୁଟି ସମୟରେ ସେମାନଙ୍କ ଲାଗି ଅନଲାଇନ ପାଠପଢ଼ା ବେଶ ଉପଯୋଗୀ ହୋଇପାରିବ ବୋଲି ବିଭାଗ ଆଶାବ୍ୟକ୍ତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ