୯୨୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଞ୍ଜୁର ଅନୁମୋଦିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍‌):  ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକରେ ୨୬୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର‌୍ୟ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଅନୁମୋଦିତ ହେଉଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଇଡ୍କୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ; ଏବଂ, ଏଥି ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍ ମ୍ୟାନେଜର ଇଡ୍କୋ ତରଫରୁ ପଦକ୍ଷେପ ନେବେ ବୋଲି ବୈଠକରେ ସ୍ଥିର ହୋଇଥିଲା । ବିଭିନ୍ନ ଶିଳ୍ପ ନିମନ୍ତେ ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ ଓ ଗୁଣାତ୍ମକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଅବ୍ୟବହୃତ ଆବଣ୍ଟନ ଜଳ ଫେରସ୍ତ ଆଣି ତାହାର ପୁନଃଆବଣ୍ଟନ କରିବାକୁ ମୁଖ୍ୟ ଶାସନ ସଚିବ ଶିଳ୍ପ ଓ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ନିବେଶ ପ୍ରସ୍ତାବଗୁଡ଼ିକ ପର‌୍ୟ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆଇଟି ତଥା ଇଏସ୍ଡିଏମ୍(ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଏବଂ ମାନ୍ୟୁଫାକଚରିଂ) ଉପରେ ପର‌୍ୟ୍ୟବସିତ ଥିଲା । ଏହା ଦ୍ୱାରା ରାଜ୍ୟରେ ୨୬୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଇନ୍ଫୋ ଭ୍ୟାଲି ସ୍ଥିତ ଇଏମ୍ସି ପାର୍କଠାରେ ୧,୪୪,୦୦୦ ବର୍ଗ ମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ(ପିସିବି) ନିମନ୍ତେ ୯୬.୮୦ କୋଟି ଟଙ୍କାର ଆଇଟି ତଥା ଇଏସ୍ଡିଏମ୍ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏଠାରେ ୪୨୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮୫.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଅନ୍ତର୍ଗତ ଖୋର୍ଦ୍ଧାର ଡେରାସ ସି ଫୁଡ୍ ପାର୍କଠାରେ ସାମୁଦ୍ରିକ ଖାଦ୍ୟ ପ୍ରକିୟାକରଣ ୟୁନିଟ୍ରେ ଅତିରିକ୍ତ ନିବେଶ କରାଯିବ । ଏଠାରେ ୫୮୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ପର‌୍ୟ୍ୟଟନ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାଠାରେ ଏକ ଅବସର ବିନୋଦନ ପାର୍କର ନିର୍ମାଣ ପାଇଁ ୧୦୭.୧୦ କୋଟି ଟଙ୍କାର ଏକ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରୀ ମିଳିଛି । ଏଠାରେ ପ୍ରାୟ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ପର‌୍ୟ୍ୟଟନ କ୍ଷେତ୍ରରେ ଭୁବନେଶ୍ୱରରେ ଏକ ୪ ତାରିକା ହୋଟେଲ୍ ନିର୍ମାଣ ପାଇଁ ୫୯.୦୮ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୧୬୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇସ୍ପାତ୍ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଥିବା୦.୦୫ ଏମ୍ଟିପିଏ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ୍ ଇସ୍ପାତ୍ ପ୍ଲାଣ୍ଟର ୫୭୩.୪୧ କୋଟି ଟଙ୍କାର ଏକ ସଂପ୍ରସାରଣ ଏବଂ ଆଧୁନିକୀକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ପ୍ଲାଣ୍ଟର କ୍ଷମତା ୦.୨୮୩ ଏମ୍ଟିପିଏକୁ ବୃଦ୍ଧି ପାଇବ । ଏହା ଦ୍ୱାରା ଏଠାରେ ଅତିରିକ୍ତ ଭାବେ ୯୭୮ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ (ସିଏମ୍ଆଇଇ) ଅନୁସାରେ ଦେଶର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାରେ ୨୦୨୦ ଆର୍ଥିକ ବର୍ଷର ଅପ୍ରେଲ୍-ସେପେଫମ୍ବର ମଧ୍ୟରେ ୧୮ ପ୍ରତିଶତ ନିବେଶ ହୋଇପାରିଛି । ଏହା ଦେଶର ଶ୍ରେଷ୍ଠ ନିବେଶ ଆକର୍ଷଣକାରୀ ରାଜ୍ୟର ମାନ୍ୟତା ଲାଭ କରିପାରିଛି । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ