୯୪ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶିଷ୍ଟ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜାତୀୟ ଭ୍ରାତା, ଚମ୍ବଲ ଗାନ୍ଧୀ ଓ ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡଃ ଏସ୍‌.ଏନ୍‌. ସୁବାରାଓ (ଭାଇଜୀ)ଙ୍କ ୯୪ମ ଜନ୍ମବାର୍ଷିକ ଉପଲକ୍ଷେ ତା ୬ ଫେବୃୟାରୀ ଠାରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଜୌରାଠାରେ ମହାତ୍ମା ଗାନ୍ଧୀ ସେବାଆଶ୍ରମ ପ୍ରାଙ୍ଗଣରେ ଏକ ତ୍ରିଦିବସୀୟ ଭାଇଜୀ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପରମପୂଜ୍ୟ ସ୍ୱର୍ଗତଃ ଭାଇଜୀଙ୍କ ଜନ୍ମଜୟନ୍ତୀ ଅବସରରେ ଫେବୃୟାରୀ ୭ ତାରିଖ ଦିନ ସାରା ଭାରତରୁ ଆସିଥିବା ଭାଇଜୀ ଆଦର୍ଶବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟ/ସଦସ୍ୟାମାନେ ଆଣିଥିବା ରାଜ୍ୟର ମାଟିକୁ ସମାଧିପୀଠରେ ରଖିବା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ସ୍ମୃତିଚାରଣ ନିମନ୍ତେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ମହାତ୍ମା ଗାନ୍ଧୀ ସେବାଶ୍ରମର ଅଧ୍ୟକ୍ଷ ପି.ଭି. ରାଜଗୋପାଳନ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ସର୍ବସେବା ସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ ପାଲ ସଭାରେ ଅଧ୍ୟକ୍ଷତା କରିଥିଲେ । ପରେ ଜାତୀୟ ଯୁବ ପ୍ରକଳ୍ପର ଅନ୍ୟତମ ଟ୍ରଷ୍ଟି ଶ୍ରୀଯୁକ୍ତ ମଧୁସୂଦନ ଦାସଙ୍କ କଣ୍ଠରୁ ନିସୃତ ୧୮ଟି ଭାଷାର ବହୁଭାଷୀ କାର୍ଯ୍ୟକ୍ରମ ତଥା ଭାଇଜୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ‘ଭାରତ କି ସନ୍ତାନ’ ପରିବେଷଣ ହୋଇଥିଲା । ଏଥି ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା, ଧ୍ୱଜାରୋହଣ, ଶ୍ରମଦାନ, ରାଜ୍ୟମାନଙ୍କର ଭବିଷ୍ୟତ ଯୋଜନା ଉଦ୍ଦେଶ୍ୟରେ ବକ୍ତବ୍ୟ ଉପସ୍ଥାପନା ଓ ଶାନ୍ତି ସଦ୍‌ଭାବନା, ଅହିଂସା ତଥା ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର କରିବା ଏବଂ ଭାଇଜୀଙ୍କ ଦ୍ୱାରା ଚମ୍ବଲ ଦସ୍ୟୁମାନଙ୍କ ସମର୍ପଣର ୫୦ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ବୋଦୟ ସମ୍ମେଳନ ଆୟୋଜନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ଶ୍ରୀଯୁକ୍ତ ମଧୁସୂଦନ ଦାସ, ଶ୍ରୀଯୁକ୍ତ ପ୍ରଚଣ୍ଡ ଜୟସ୍ୱାଲ, ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟ ଓ ଶ୍ରୀ ସୋମ୍ ପ୍ରମୁଖ ଯୋଗଦାନ କରିଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଜାତୀୟ ଯୁବ ପ୍ରକଳ୍ପର ସମ୍ପାଦକ ଶ୍ରୀଯୁକ୍ତ ରଣସିଂହ ପରମାର ଅତି ସୁନ୍ଦର ରୂପେ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ