ୱାଟର ଟ୍ୟାକ୍ସି ଓ ରୋପାକ୍ସ ଫେରି ସେବା ଖୁବଶୀଘ୍ର ମୁମ୍ବାଇ ପରିବହନର ଅଂଶ ହେବ
ପାରାଦୀପ (ପୀତବାସ ପ୍ରଧାନ): କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏକ ବୈଠକରେ ଅଧ୍ୟକ୍ଷତା କରି ମୁମ୍ବାଇ ଲାଗି ସହର ଜଳ ପରିବହନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ମୁମ୍ବାଇ ବନ୍ଦର ଅଧ୍ୟକ୍ଷ, ମହାରାଷ୍ଟ୍ର ସାମୁଦ୍ରିକ ବୋର୍ଡର ଅଧିକାରୀ ଓ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ । ପରିବେଶ ଅନୁକୂଳ ଜଳପଥ ପରିବହନକୁ ପ୍ରୋତ୍ସାହିତ କରିବା ଏବଂ ଜନଗହଳିପୂର୍ଣ୍ଣ ମୁମ୍ବାଇ ସହରର ସଡକ ଗୁଡିକର ଟ୍ରାଫିକ ସମସ୍ୟା ଲାଘବ କରିବା ପାଇଁ ରୋପାକ୍ସ ଫେରି ସେବା ପାଇଁ ୪ଟି ନୂତନ ମାର୍ଗ ତଥା ୱାଟର ଟ୍ୟାକ୍ସିର ୧୨ଟି ନୂତନ ମାର୍ଗ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହଛି । ବର୍ତ୍ତମାନ ମୁମ୍ବାଇରେ ରୋପାକ୍ସ ଫେରି ସେବା ବାହୁଚ୍ଚାଢାଟା ଏବଂ ମାଣ୍ଡୱା ମଧ୍ୟରେ କାର୍ଯ୍ୟକାରୀ ହୋଇଛି । ଯାହାଦ୍ୱାରା ୧୧୦କି.ମି. ଦୂରତା ଜଳପଥରେ ମାତ୍ର ୧୮କି.ମି. କୁ ହ୍ରାସ ପାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ୩ ରୁ ୪ ଘଣ୍ଟାର ଯାତ୍ରାକୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଅତିକ୍ରମ କରୁଛନ୍ତି । ସେହିପରି ଏହି ସେବା କାର୍ଯ୍ୟକାରୀ ହେଲେ ଡୋମେଷ୍ଟିକ କ୍ରୁଜ ଟର୍ମିନାଲରୁ ନେରୁଲ ୩୪କି.ମି. ରୁ ୧୯କି.ମି., ବେଲାପୁର ୪୦କି.ମି. ରୁ ୨୦କି.ମି., ଭାସି ୨୮ ରୁ ୨୩, ରିୱସ ୧୧୦ରୁ ୧୮, କରଞ୍ଜ ୭୦ରୁ ୧୮, ଧରମତାର ୮୩ରୁ ୪୦, କହ୍ନୋଜୀଆଙ୍ଗରେ ଦ୍ୱିପ ୧୯, ବେଲାପୁର ରୁ ଥାନେ ଓ ଗେଟ୍ୱେ ଅଫ ଇଣ୍ଡିଆ, ଭାସି ଓ ଥାନେ ଇତ୍ୟାଦି ମଧ୍ୟରେ ଦୂରତା କମିବା ସହ ସମୟ ମଧ୍ୟ ବଂଚିବ । ମାଣ୍ଡଭ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଜଳପଥକୁ ବ୍ୟବହାର କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିଭଙ୍ଗି ସହ ତାଳ ଦେଇ ଦେଶର ଅର୍ଥନୈତିକ ବିକାଶ ସହିତ ଏକିଭୁତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ । ଦେଶର ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଓ ଅନ୍ୟାନ୍ୟ ମାର୍ଗରେ ରୋପାକ୍ସ ଫେରି ଓ ୱାଟର ଟ୍ୟାକ୍ସି ସେବା ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପାରାଦୀପ ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ ।