ୱାନ ଷ୍ଟପ ସେଣ୍ଟର(ସଖୀ)ର ନୂତନ ଗୃହର ଶୁଭ ଉଦ୍‌ଘାଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ୟାମଗୁଡିଆସ୍ଥିତ କେନ୍ଦ୍ରାପଡା ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଇଛାପୁର ଠାରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀଙ୍କ ଦ୍ୱାରା “ୱାନ ଷ୍ଟପ ସେଣ୍ଟର” (ସଖୀ)ର ନବ ନିର୍ମିତ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରୋଗ୍ରାମ ଅଫିସର ସଞ୍ଜୁକ୍ତା ମିଶ୍ର, ମମତାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ଦାସ, ବିଭିନ୍ନ ବ୍ଲକର ଶିଶୁ ବିକାଶ ଯୋଜନା ଅଧିକାରୀ / କ୍ଷେତ୍ରପରିଦର୍ଶିକା, ଅଙ୍ଗନୱାଡି କର୍ମୀ, ଟାସ୍କ ଫୋର୍ସ କମିଟି ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତି କରଣ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ‘ୱାନ ଷ୍ଟପ ସେଣ୍ଟର’ର ଭୂମିକା ଅତୁଳନୀୟ । ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଥିବା ଆଭିମୁଖ୍ୟକୁ ବଳିଷ୍ଠ କରିବା ହିଁ “ୱାନ ଷ୍ଟପ ସେଣ୍ଟର” ପ୍ରତିଷ୍ଠାର ମୂଳ ଲକ୍ଷ୍ୟ । ଏହା ପ୍ରତିଦିନ ୨୪ ଘଣ୍ଟା ଖୋଲା ରହିବ । ନିର୍ଯ୍ୟାତିତ ମହିଳା ଓ ୧୮ ବର୍ଷରୁ କମ ବାଳିକା ମାନଙ୍କୁ ସମନ୍ୱିତ ସୁବିଧା ଓ ସହଯୋଗ ନିମନ୍ତେ ୱାନ ଷ୍ଟପ ସେଣ୍ଟର କାର୍ଯ୍ୟ କରୁଛି । ଗୋଟିଏ ଛାତ ତଳେ ନିର୍ଯ୍ୟାତିତ ମହିଳା ମାନଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ୍‌ଗତ ସହାୟତା ପ୍ରଦାନ କରିବା ସହ ଆଶ୍ରୟ ଏବଂ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦିଆ ଯାଇଥାଏ । ଏତଦ୍‌ବ୍ୟତିତ ବଳାତ୍କାର, ଅପହରଣ/ନିଖୋଜ, ପାରିବାରିକ ହିଁଂସା, ଏସିଡ ଆକ୍ରମଣ, ଯୌନ ଉତ୍ପୀଡନ/ଶୋଷଣ, ଯୌତୁକ ନିର୍ଯ୍ୟାତନା ଓ ହିଂସା, ଶିଶୁ ଯୌନ ଉତ୍ପୀଡନ, ଶୋଷଣ, ବାଲ୍ୟ ବିବାହ ସହ ଅନ୍ୟାନ୍ୟ ହିଂସା ଘଟଣାର ସମାଧାନ ପାଇଁ ଆବଶ୍ୟକ ପୋଲିସ, ଡାକ୍ତରୀ ଓ ଆଇନ୍ ସହାୟତା ମାଗଣାରେ ପ୍ରଦାନ କରା ଯାଇଥାଏ । ଫଳରେ ନିର୍ଯ୍ୟାତିତ ମହିଳା ନିଜକୁ ଅସୁରକ୍ଷିତ ମନେ କରେ ନାହିଁ । ତାର ନିଜ ଅଧିକାରକୁ ସାବ୍ୟସ୍ତ କରିବା ସହ ଦୋଷୀକୁ ଦଣ୍ଡ ଦେବାରେ ଅନ୍ୟତ୍ର ଯିବା ଆବଶ୍ୟକ କରେ ନାହିଁ । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜନ ସଚେତନତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର-୧୮୧ ଏବଂ ମୋବାଇଲ ନମ୍ବର- ୯୯୩୮୭୮୫୩୬୧ ଜାରି କରାଯାଇଛି ବୋଲି ସୂଚନା ଦିଆଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡାଙ୍କ ମିଳିତ ସହାୟତାରେ ଏହି ନୂତନ ଗୃହ ନିର୍ମାଣ କରାଯାଇଛି । ଉଦଘାଟନ ଫଳକରେ ଜିଲ୍ଲାପାଳଙ୍କ ନାମ ଲେଖାଯାଇଥିଲେ ବି ଜିଲ୍ଲାପାଳ ଅନୁପସ୍ଥିତ ଥିବା ଦେଖାଯାଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ