ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ ନୂଆପଡା ଶାଖାର ବାର୍ଷିକ ସମ୍ମିଳନୀ
ନୂଆପଡା,(ଲିଲାମ୍ବର ନାଗ) :ନୂଆପଡା ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ ସଭା ଗୃହରେ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ, ନୂଆପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ସଭାପତି ସାମ୍ବାଦିକ ଅନିଲ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଶିଷ୍ଟ ଅତିଥି ତଥା ମୂଖ୍ୟବକ୍ତା ଭାବେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ, ସମ୍ମାନିତ ଅତିଥିଭାବେ ସଂଗଠନର ରାଜ୍ୟ ସମ୍ପାଦକ ବିଶିକେଶନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ଦଳପତି ଯୋଗଦାନ କରିଥିଲେ।ସଂଗଠନର ଉଦ୍ଦେଶ୍ୟ ଜ୍ଞାପନ କରି ଆଗାମୀ ଦିନରେ ସଂଘ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହାତକୁ ନେବାକୁ ସ୍ଥିର କରାଯାଇଥିବା ସଭାପତି ପ୍ରକାଶ କରିଥିଲେ। ସାମ୍ବାଦିକତା ଜରିଆରେ ସମାଜ ସେବାରେ ବ୍ରତୀ ରହିବାକୁ ଅତିଥିଗଣ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଏହି ସଂଗଠନ ଭାରତର ପ୍ରମୁଖ ସାମ୍ବାଦିକ ସଂଗଠନ, ଯାହା ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ। ରାଷ୍ଟ୍ର ନିର୍ମାଣ ସହ ଦେଶର ସଂସ୍କୃତି ଓ ଏକତା, ସଂହତି ରକ୍ଷା ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ କହିଲେ ଯେ ,ସାମ୍ବାଦିକ ମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ।ତାଙ୍କ ସହଯୋଗରେ ଜିଲ୍ଲାର ଦୃତ ଉନ୍ନତି ସାଧିତ ହୋଇପାରିବ, ଏହି ଅବସରରେ ଗତ ଉପନିର୍ବାଚନର ସଠିକ୍ ପରିଚାଳନା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜିଲ୍ଲାପାଳ ଦାଶଙ୍କୁ ଏହି ସଂଗଠନ ତରଫରୁ ସମ୍ମାନିତ କରାଯାଇଥିଲା, ଅଂଚଳର ବିଶିଷ୍ଟ ଜନନେତା ତଥା ସମାଜସେବୀ ଭାବେ ପ୍ରାକ୍ତନ ସାଂସଦ ପଣ୍ଡାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆରକ୍ଷୀ ଉପ ନିରୀକ୍ଷକ ବିନୋଦ କୁମାର ସେଠୀ ଓ ଜନ ସେବା ତଥା ବହୁ ବାର ରକ୍ତଦାନ ପାଇଁ କିଶୋର କୁମାର ପରିଡା, ସାମ୍ବାଦିକତା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସାମ୍ବାଦିକ ଉପେନ୍ଦ୍ର ବାଗ ଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ମିଳନୀରେ ଏନ. ଜେଡ. ଏସ. ଏସର ଜିଲ୍ଲା ସଭାପତି ସୁରେଶ ଆଚାରୀଙ୍କ ସମେତ ଅଂଶୁମାନ ଅଗସ୍ତି, ସିମାଞ୍ଚଳ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ସୁରେଶ ଦଣ୍ଡସେନାଙ୍କ ସମେତ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ ଗଣ, ଭାରତୀୟ ମଜଦୁର ସଂଘର ସଦସ୍ୟ ବୃନ୍ଦ ଓ ସଂଗଠନର କର୍ମକର୍ତ୍ତା ସାମ୍ବାଦିକ ରାମନାଥ ପଣ୍ଡା, ସତୀଶ ଯୋଶୀ,ଲମ୍ବୋଦର ବାଗ, ଉପେନ୍ଦ୍ର ବାଗଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଯୋଗଦାନ କରିଥିଲେ।ସାମ୍ବାଦିକ ରାମନାଥ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଉମାକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ।


