‘ୱାର୍ଲଡ୍ ଓଡ଼ିଶା ସୋସାଇଟି’ ବିଶ୍ୱ ଓଡ଼ିଆଙ୍କ ଦରବାର!

ପବିତ୍ର ମହାରଥା
ମାଆ, ମାଟି, ମାତୃଭୂମି, ମାତୃଭାଷା ଏହି ଚାରି ସ୍ତମ୍ଭ ଆମମାନଙ୍କୁ ଏକାଠି ରଖି ପାରିଛି । ସାମାଜିକ କର୍ତ୍ତବ୍ୟବୋଧତା ଆମମାନଙ୍କୁ ଏହି ପଥର ପଥିକ ହେବା ପାଇଁ ବାଧ୍ୟ କରିଛି । ଯେମିତି ଗୋଟିଏ କାଠିକୁ ଆମେ ଅକ୍ଳେଶରେ ଭାଙ୍ଗିଦେଇ ପାରିବା, କିନ୍ତୁ ଏକାଧିକ କାଠିକୁ ଆମେ ସହଜରେ ଭାଙ୍ଗିପାରିବା ନାହିଁ । ସେହି କର୍ତ୍ତବ୍ୟ ପରାୟଣତା ହିଁ ଆମକୁ ଗୋଟିଏ ରଜ୍ଜୁରେ ବାନ୍ଧି ପାରିଛି । ସାମାଜିକ ମୂଲ୍ୟବୋଧ, ସାମାଜିକ ସଂସ୍କାର, ସାମାଜିକ ପ୍ରଗତିଶୀଳତା ହିଁ ଆମ ଐକ୍ୟତାର ମାପକାଠି । ପରସ୍ପର ସମ୍ପର୍କ ମାଧ୍ୟମରେ ଆମେ ଏକରୁ ଅନେକ, ଅନେକରୁ ଏକ ହୋଇ ସମାଜ ସହିତ ଏକତାର ବନ୍ଧନରେ ବାନ୍ଧି ହୋଇଛେ ।ଓଡ଼ିଶାର ଐତିହାସିକ ପରମ୍ପରା, ପୌରାଣିକ ମତବାଦ ମହାଭାରତ ଯୁଗରୁ ଆମକୁ ଏକ କରି ରଖିଛି । ଭାଗବତରେ ବର୍ଣ୍ଣିତ ବଳି ରାଜାଙ୍କ କ୍ଷେତ୍ରରେ ଷଡ଼ପୁତ୍ର ଅଙ୍ଗ, ବଙ୍ଗ, କଳିଙ୍ଗ, ସୁହ୍ନୁ, ପୌଣ୍ଡ୍ର, ଓଡ୍ର ଭାଇମାନେ ନିଜ ନାମାନୁସାରେ ରାଜ୍ୟ ପରିଚାଳନା କରୁଥିଲେ । କାଳକ୍ରମେ ପୁଣି କିଛି ରାଜ୍ୟ ଏକାଠି ହୋଇ ଏକ ରାଜ୍ୟରେ ପରିଣତ ହେଲା, ଯାହାକି ଏବେ ଆମେ ଓଡ଼ିଶା ବୋଲି କହୁଛେ । ସେହି ଓଡ଼ିଶାର ଅନ୍ୟନାମ ‘ଉତ୍କଳ’ ଉତ୍କର୍ଷ କଳାର ଦେଶ ବୋଲି ବର୍ଣ୍ଣିତ ଯାହାକି ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାର ଦେଶ କହିଲେ ଅତ୍ୟୁକ୍ତି ହେବନାହିଁ । ଯେମିତିକି ଯୁଦ୍ଧ ବିଦ୍ୟା, ପଥରର କାରୁକାର୍ଯ୍ୟ, ନୃତ୍ୟ, ସଙ୍ଗୀତ, ମନ୍ଦିରମାନଙ୍କରେ ଖୋଦିତ ପ୍ରତିମୂର୍ତ୍ତି ଓ ପ୍ରତିକୃତି, ହାତ ତିଆରି ଚାନ୍ଦୁଆ, ଶିଙ୍ଗରେ ତିଆରି ପାନିଆ, କଂସା ବାସନ ପ୍ରଭୃତି ଏହି ସମସ୍ତ କାରୁକାର୍ଯ୍ୟ ତଥା ଉତ୍କର୍ଷ ଆମକୁ ଦେଶ ବିଦେଶରେ ବେଶ ପରିଚିତ କରି ରଖିଛି ।ସେତେବେଳେ ଆମେ ବୋଇତ ମାଧ୍ୟମରେ ଆମ ଓଡ଼ିଆ ଭାଇମାନେ ବିଦେଶରେ ବଣିଜ କରି ଆମ ରାଜ୍ୟକୁ ସମୃଦ୍ଧ କରିଥିଲେ । ଆଜି ବିଶ୍ୱ ଦରବାର ଯେତେବେଳେ ସଂଙ୍କଟରେ ସେତେବେଳେ ଆମେ ଆମର ସାମାଜିକ କର୍ତ୍ତବ୍ୟ ଦୃଷ୍ଟିରୁ ଦେଶ ବିଦେଶରେ ରହୁଥିବା ଭାଇଭଉଣୀମାନଙ୍କୁ ଏକ ରଜ୍ଜୁରେ ବାନ୍ଧି ରଖିବା ପାଇଁ ଚେଷ୍ଟା କରିଛେ ମାତ୍ର । ବିଦେଶରେ ରହୁଥିବା ଓଡ଼ିଆ ପୁଅମାନେ ବହୁ ନୂତନ ଉଦ୍ଭାବନ ମାଧ୍ୟମରେ ପୃଥିବୀ ପୃଷ୍ଠକୁ ବହୁ ମୂଲ୍ୟବାନ ଜ୍ଞାନ କୌଶଳ ଦେଇ ଚାଲିଛନ୍ତି । କିନ୍ତୁ ତାହାର ପ୍ରଚାର ପ୍ରସାର ସଠିକ୍ ଭବରେ ହୋଇ ପାରୁନାହିଁ । ଏଇ କଥା ଆଲୋଚନା ପ୍ରସଙ୍ଗରେ ଯେତେବେଳେ ବରିଷ୍ଠ ସାମ୍ବାଦିକ ତଥା ବହୁ ପ୍ରସାରିତ ଦିଲ୍ଲୀ ଦରବାର ସ୍ତମ୍ଭର ଲେଖକ କିଶୋର ଚନ୍ଦ୍ର ଦ୍ୱିବେଦୀଙ୍କ ସହ ଅଲୋଚନା ହୁଏ, ଆମେ ତାହା କରିବା ବୋଲି କିଶେ।।ର ଦ୍ୱିବେଦୀ ମହାଶୟ ଆଗେଇ ଆସନ୍ତି । ‘ଓମ୍ ମିଡ଼ିଆ’ ନାମକ ସଂସ୍ଥା ମାଧ୍ୟମରେ ଏହାର ପ୍ରସାର କରିବାପାଇଁ ପ୍ରକ୍ରିୟା ଆରମ୍ଭ ହେଲା । କିଶୋର ଦ୍ୱିବେଦୀ, ପବିତ୍ର ମହାରଥା ଓ କାବେରୀ ବେହେରା ଏହି ସଂସ୍ଥାର ସଂସ୍ଥାପକ ଭାବେ ଆଗକୁ ବଢ଼ିବା ପାଇଁ ରାସ୍ତାଟିଏ ତିଆରି ହେଲା । ଏହି ପ୍ରକ୍ରିୟାକୁ ଆଉ ଗୋଟିଏ ପାଦ ଆଗେଇଯାଇ “ୱାର୍ଲଡ୍ ଓଡ଼ିଶା ସୋସାଇଟି”ର ପରିକଳ୍ପନା ହେଲା ଯାହାକି ଆଜି ପ୍ରାୟ ୬୫ଟି ଦେଶର ଓଡ଼ିଆ ଭାଇ ଭଉଣୀ ଏକାଠି ଗୋଟିଏ ମଞ୍ଚରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ