ୱେବ୍ସାଇଟ୍ରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ନାଁ ଦର୍ଶାଉନି
ଆସିକା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ଓ ରାଜ୍ୟ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ଶିକ୍ଷା ଗ୍ରହଣ ପାଇଁ ହେଉଥିବା ଖର୍ଚ୍ଚର ପ୍ରଭାବକୁ କିଛି ମାତ୍ରାରେ ଲାଘବ କରାଯାଇପାରୁଛି । ଏହିସବୁ ଶିକ୍ଷାକଲ୍ୟାଣକାରୀ ଯୋଜନାର ଫାଇଦା ପାଇବା ପାଇଁ ଛାତ୍ରଛାତ୍ରୀମାନେ ସଚେତନ ହେବା ସହ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଜାଗ ହୋଇରହିବାକୁ ପଡିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଆସିକାରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନାଁ ରାଜ୍ୟ ସରକାରଙ୍କ ବୃତ୍ତି ପାଇଁ ଉଦ୍ଦିଷ୍ଟ ୱେବ୍ସାଇଟରେ ଗତ ୨୮ ତାରିଖ ସୁଦ୍ଧା ଦର୍ଶାଉନଥିବାରୁ ଉକ୍ତ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ବୃତ୍ତି ପାଇବାରୁ ବଂଚିତ ହେବା ସମ୍ଭାବନାକୁ ଏଡାଇ ହେବ ନାହିିଁ ବୋଲି ଆଲୋଚିତ ହେଉଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ସରକାରଙ୍କ ବୃତ୍ତି ପୋର୍ଟାଲରେ ଛାତ୍ରଛାତ୍ରୀ ପଂଜିକୃôତ ହୋଇ ଆବେଦନ କରିବା ବେଳେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନାଁ ପଞ୍ଚାକୃତ ହୋଇନଥିବା ୱେବ୍ସାଇଟରୁ ଜଣାପଡିଛି । ଯାହାରି ଫଳରେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଏହି ବୃତ୍ତି ପାଇବା ଲାଗି ଆବେଦନ କରିବାରେ ଅସମର୍ଥ ହେଉଛନ୍ତି । ବୃତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ରାଜ୍ୟ ସରକାର ଆଗାମୀ ଡିସେମ୍ବର ମାସ ୧୫ ତାରିଖକୁ ଧାର୍ଯ୍ୟ କରିଥିବା ବେଳେ ଉକ୍ତ ୱେବ୍ସାଇଟ୍ ମଧ୍ୟ ଅଧିକାଂଶ ସମୟ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଆଲୋଚିତ ହେଉଛି । ଯଦି ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବେ ୱେବ୍ସାଇଟ୍ରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବା ସହ ପଂଜିକୃତ ନକରନ୍ତି ତେବେ ଯୁକ୍ତ ଦୁଇ ଶ୍ରେଣୀର ବିଦ୍ୟାର୍ଥୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ବୃତ୍ତି ପାଇବାରୁ ନିଶ୍ଚିତ ଭାବେ ବଂଚିତ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଏ ନେଇ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ରାଜ୍ୟ ସରକାରଙ୍କ ବୃତ୍ତି ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପୂର୍ବକ ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରୟାସ କରାଯାଉଛି । ଅପର ପକ୍ଷରେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ସଭାପତି ପ୍ରଶାନ୍ତ କୁମାର କର ଗଭୀର କ୍ଷୋଭର ସହ ପ୍ରକାଶ କରିକହଛନ୍ତି ଯେ ବୃତ୍ତି ଆବେଦନ କରିବା ପାଇଁ ୱେବ୍ସାଇଟରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ନାଁ ନଆସିବା ଅତ୍ୟନ୍ତ ଦୁଃଖର ବିଷୟ ହୋଇଥିଲା ବେଳେ କେଉଁ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି ସେ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀମାନେ ଯେପରି ବୃତ୍ତି ପାଇଁ ଆବେଦନ କରିପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ । ରାଜ୍ୟ ସରକାରଙ୍କ ଛାତ୍ରବୃତ୍ତି ଆବେଦନ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାନୁଷ୍ଠାନର ଶ୍ରେଣୀ କକ୍ଷରେ ସଚେତନ କରିବାର ବିଧିବ୍ୟବସ୍ଥା ମଧ୍ୟ ରହିଥିବା ଜଣାପଡିଛି । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଓଡିଶା ରାଜ୍ୟ ଛାତ୍ରବୃତ୍ତି ଯୋଜନାରେ କିପରି ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନର ୟୁଡାଇସ୍ ପୋର୍ଟାଲକୁ ଆପ୍ଟୁଡେଟ୍ କରିବା ଏବଂ ବାୟୋମେଟ୍ରିକ୍ ଆଥେଣ୍ଟିକେସନ୍କୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।