କେନ୍ଦ୍ରାପଡା ଜିଲ୍ଲାରେ ପହଁଚିଲା ଶାନ୍ତି-ସଂହତି-ସଦଭାବନା ଯାତ୍ରା

କେନ୍ଦ୍ରାପଡା – ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଗାନ୍ଧି ବାର୍ତ୍ତା ପ୍ରଚାର କରିବା ଉଦେଶ୍ୟରେ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ ପ୍ରଭୃତି ଗାନ୍ଧିବାଦୀ ସଂଗଠନ ଗୁଡିକ ପକ୍ଷରୁ ରାଜ୍ୟବ୍ୟାପି ପ୍ରଚାର ଅଭିଯାନର ୨ୟ ପର୍ଯ୍ୟାୟରେ ଝାରସୁଗୁଡାରୁ ବାହାରିଥିବା ଶାନ୍ତି-ସଂହତି – ସଦଭାବନା ଅଭିଯାତ୍ରୀ ଦଳ ଯାଜପୁରରୁ ଆସି ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଅଂଚଳରେ ପ୍ରବେଶ କରିଛନ୍ତି । ଜିଲ୍ଲା ମଧ୍ୟରେ ଅଭିଯାତ୍ରୀ ଦଳକୁ ନେତୃତ୍ୱ ଦେଉଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ,ରାଷ୍ଟ୍ରୀୟ ଯୁବା ସଂଗଠନର ଜାତୀୟ ସଂଯୋଜକ ବିଶ୍ୱଜିତ ରାୟ,ମାନସ ପଟ୍ଟନାୟକ ପ୍ରମୁଖ ପ୍ରବେଶ କରିବା ପରେ ପଥ ମଧ୍ୟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଅଭିଯାତ୍ରୀ ଦଳ ମହାନ ଗାନ୍ଧୀପୀଠ ଧୂମାତର ଭକ୍ତ ବିଳାସ ମଠ ପରିସରରେ ପହଁଚିଥିଲା । ସେଠାରେ ଅପେକ୍ଷାରତ ସ୍ଥାନୀୟ ଜନସାଧାରଣ ଅଧ୍ୟାପକ ଡଃ.ସଂଗ୍ରାମ କେଶରୀ ରାଉତଙ୍କ ନେତୃତ୍ୱରେ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ସ୍ଥାନୀୟ ସରପଂଚ ନରହରି ପାଣିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଂଯୋଜିତ କରୁଥିବା ଗାନ୍ଧୀ – ୧୫୦ ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ପ୍ରଚାର ଅଭିଯାନର ଉଦେଶ୍ୟ ଜ୍ଞାପନ କରିବା ପରେ ବିଶିଷ୍ଟ ଗାନ୍ଧୀବାଦୀ ଗୋଲଖ ଦାସ, ସଂଗଠନର ଜିଲ୍ଲା ସଭାପତି ଭଜକୃଷ୍ଣ ରାଉତ, ନଳିନୀକାନ୍ତ ପୃଷ୍ଟି, ପାର୍ଥସାରଥୀ ବେହେରା, ବାସନ୍ତୀ ସାହୁ, ରଞ୍ଜିତ ଦେହୁରୀ ପ୍ରମୁଖ ବର୍ତ୍ତମାନ ସମୟରେ ଗାନ୍ଧୀନୀତି ପ୍ରଚାର ଓ ପ୍ରସାରର ଆବଶ୍ୟକତା ଏବଂ ଧୂମାତ ଗାନ୍ଧୀ ପୀଠର ଐତିହାସିକ ମହାନତା ସମ୍ପର୍କରେ ଆଲୋଚନା କରିଥିଲେ । ଗାନ୍ଧୀ – ୧୫୦ ଅଭ୍ୟର୍ଥନା ସମିତିର ସଭାପତି ବାସୁଦେବ ଦାସ ଜିଲ୍ଲାରେ ପ୍ରଚାର ଅଭିଯାନର ସଫଳତା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ