୭୧ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଚମ୍ପୁଆ-: ଚମ୍ପୁଆ ଉପଖଣ୍ଡରେ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନେହେରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଉଦ୍‌ବୋଧନ ଛଳରେ ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବା ସହ ଦେଶ ପ୍ରତି ନିଜର କର୍ତବ୍ୟ ପାଳନ କରିବାକୁ ଉପଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ । ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ କରିଥିବା ଏବଂ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଜଣାଇଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କର ଉଚ୍ଚ ଆଦର୍ଶ ଆମ ପାଇଁ ପ୍ରେରଣା ସାଜିଛି ବୋଲି କହିଥିଲେ । ଭାରତୀୟ ସମ୍ବିଧାନର ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ମୂଲ୍ୟବୋଧ, ନୀତି ଓ ଉଚ୍ଚ ଆଦର୍ଶ ଆମର କାର୍ଯ୍ୟାବଳୀର ପଥପ୍ରଦର୍ଶକ ସାଜିଛି ବୋଲି କହିବା ସହିତ ସମ୍ବିଧାନର ଗାରିମା ବଜାୟ ରଖିବାକୁ ସମସ୍ତଙ୍କର ମାନସିକତା, ଆନ୍ତରିକତା ଏବଂ ଦୃଢ ସଂକଳ୍ପ କାମନା କରିଥିଲେ । ସମାଜର ସବୁ ସ୍ତରର ଯେପରି ଉନ୍ନତି ହେବ, ମହିଳାମାନେ ଯେପରି ସମାନ ଅଧିକାର ଏବଂ ସୁଯୋଗ ପାଇବେ, ଜନଜାତିମାନଙ୍କର ସଂସ୍କୃତିର ସୁରକ୍ଷା ସହିତ ସେମାନଙ୍କର ଉନ୍ନତି, ଭିନ୍ନକ୍ଷମମାନେ ନିଜର ପ୍ରଗତି କ୍ଷେତ୍ରରେ ଯେପରି ପ୍ରତିବନ୍ଧକର ସମ୍ମୁଖୀନ ନହେବେ, ଯୁବକମାନେ ଯେପରି ତାଙ୍କର ଉଚ୍ଚ ଆଶା ପୂରଣ କରିପାରବେ ଏବଂ ଶିଶୁମାନଙ୍କର ସ୍ୱପ୍ନ କିପରି ପୂରଣ ହୋଇପାରିବ ସେଥିପାଇଁ ସମସ୍ତଙ୍କର ଦାୟିତ୍ୱ କାମନା କରିଥିଲେ । ସମସ୍ତେ ମିଳିମିଶି ଚମ୍ପୁଆ ଉପଖଣ୍ଡର ପ୍ରଗତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଏନ୍‌ସିସି ଅଫିସର ଗିରୀଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍‌ରେ ୪୨ଟି ଦଳ ଅଂଶଗ୍ରହଣ କରି ଚିତାକର୍ଷକ ମାର୍ଚ୍ଚପାଷ୍ଟ୍ କରିଥିଲେ ଏବଂ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪ଟି ବିଭାଗ ତରଫରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ଓ ୧୦ଟି ଶିକ୍ଷାନୁଷ୍ଠାନ ତରଫରୁ ଦୋଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଚିତାକର୍ଷକ ପ୍ୟାରେଡ୍ ପାଇଁ ବରିଷ୍ଠ ବର୍ଗରେ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ୍ ସ୍କୁଲ ଓ କେରଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବଂ କନିଷ୍ଠ ବର୍ଗରେ ରାମଲା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଚନ୍ଦ୍ରଶେଖର ଇଂଲିଶ ମିଡିୟମ୍ ସ୍କୁଲକୁ ଟ୍ରଫି ପ୍ରଦାନ କରାଯାଇଥିଲା । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟନ୍ତ କୁମାର ନାଏକ ସମାରୋହରେ ଧାରାବିବରଣୀ ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପଖଣ୍ଡ ହସ୍‌ପିଟାଲକୁ ଯାଇ ରୋଗୀମାନଙ୍କୁ ଏବଂ ପରେ କାରାଗାରକୁ ଗସ୍ତ କରି ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ । ମଧ୍ୟାହ୍ନରେ ନେହେରୁ ଷ୍ଟାଡିୟମ୍ ଠାରେ ଉପଜିଲ୍ଲାପାଳଙ୍କ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ