କେନ୍ଦ୍ରାପଡାରେ ୭୧ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):  ୭୧ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କେନ୍ଦ୍ରାପଡା ସଦରମହକୁମାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା   ଯୋଗଦେଇ ଜାତୀୟ ପତକା ଉତ୍ତୋଲନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ୭୧ ତମ ସାଧାରଣତନ୍ତ୍ର ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଜାତୀର ପିତା ମହାତ୍ମା ଗାନ୍ଧୀ, ସମ୍ବିଧାନ ପ୍ରଣେତା ଡଃ.ବି.ଆର.ଆମ୍ବଦକର,  ଅଗ୍ରଣୀ ସଂଗ୍ରାମୀ ବିସର୍ଜିତ ବ୍ୟକ୍ତିତ୍ୱ  ଗୋପବନ୍ଧୁ ଦାସ, ବିପ୍ଳବୀ ଧରଣୀଧର ଭୂୟାଁ, ଲକ୍ଷ୍ମଣ ନାୟକ,  ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା, ବାସୁ ସେଠୀ, ବିସୁନି ମଢୁଆଳଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତ ବର୍ଷ ଏକ ବିଶାଳ ଗଣତାନ୍ତ୍ରିକ ସାଧାରଣ ତନ୍ତ୍ର ରାଷ୍ଟ୍ର ଭାବେ ସାରା ବିଶ୍ୱରେ ନଭଶ୍ଚୁମ୍ଭୀ ବୋଲି କହିଥିଲେ । ସାମ୍ବିଧାନିକ ଦାଇତ୍ୱ ଓ କର୍ତ୍ତବ୍ୟ ପ୍ରତି ସମସ୍ତେ ସଚେତନ ରହି ଏକ ଅଖଣ୍ଡ  ଓ ଉନ୍ନତ ଭାରତ ଗଠନ କରିବା ପାଇଁ  ଆହ୍ୱାନ ଦେଇଥିଲେ । ସାରା ରାଜ୍ୟରେ ବିକାଶ ଆଗେଇ ଚାଲିଥିବା ବେଳେ ଜିଲ୍ଲାରେ  ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳତା ନେଇ କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଗମନାଗମନ, କୃହି, କ୍ରୀଡା ଓ ସ୍ୱଛତା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ନିମନ୍ତେ ସମସ୍ତେ ଚେଷ୍ଟା ଜାରି ରଖିବାକୁ କହିଥିଲେ ।  ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୧ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ  ପ୍ରତିଭା ପ୍ରମାଣ ପତ୍ର ପ୍ରଦାନ କରି ଥିଲେ ।

କେନ୍ଦ୍ରାପଡାରେ ୭୧ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
କେନ୍ଦ୍ରାପଡାରେ ୭୧ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସେହିଭଳି ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର ୨୭ କୃତି ପ୍ରତିଯୋଗୀ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଓଡିଆ ଓ ଇଂରାଜୀ ବକ୍ତୃତା,ପ୍ରବନ୍ଧ,ଦେଶଭକ୍ତି ସଂଗୀତ ଚିତ୍ରକଳା ପ୍ରତିଯୋଗୀତାର ୩୯ଜଣ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ସମ୍ମିଳିତ ପ୍ୟାରେଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା କଲେଜ ଏନସିସି (ବାଳିକା) ସିନିୟର ଡିଭିଜନ, ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର  ଓ ତୃତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍କାଉଟ ରହି ରାଜ୍ୟ ସରକାରଙ୍କ ସିଲଡ ପ୍ରାପ୍ତ କରିଥିଲେ ।  ବରିଷ୍ଠ ସିଭିଲିଆନ ଦଳରେ ସେଂଟ ଜାଭିଅର ହାଇସ୍କୁଲ ପ୍ରଥମ,ସଞ୍ଜିବନୀ ବିଦ୍ୟା ମନ୍ଦିର ଦ୍ୱିତୀୟ ଓ କେନ୍ଦ୍ରାପଡା ପବ୍ଳିକ ସ୍କୁଲ  ତୃତୀୟ ସ୍ଥାନ ଗ୍ରହଣ କରି ସିଲଡ ପାଇ ପୁରସ୍କୃତ ହୋଇଥିଲେ । ଜୁନିଅର ସିଭିଲିଆନ ଦଳରେ ତୁଳସୀ ବିଦ୍ୟା ମନ୍ଦିର  ପ୍ରଥମ, ସତ୍ୟସାଇ ବିଦ୍ୟା ମନ୍ଦିର  ଦ୍ୱିତୀୟ ଓ କାକଟ ମଙ୍ଗଳା ଏମ.ଇ.ସ୍କୁଲ  ତୃତୀୟ ସ୍ଥାନରେ ରହି ସିଲଡ ପାଇ ପୁରସ୍କୃତ ହୋଇଥିଲେ । ସମ୍ମିଳିତ ପ୍ୟାରେଡରେ ସଡକ ସୁରକ୍ଷା, ଜିଲ୍ଲା ଜଳ ଓ ପରିମଳ ମିଶନ, ଉଦ୍ୟାନକୃଷି, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମିଶନ ଶକ୍ତି, ଜିଲ୍ଲା କୃଷି ବିଭାଗ  ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ବାର୍ତ୍ତା ନେଇ ଆକର୍ଷଣୀୟ ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରି ପ୍ରଦର୍ଶିତ ହୋଇଥିଲା । ଏହି ପ୍ୟାରେଡରେ ଏପିଆର, ହୋମଗାର୍ଡ, ପୋଲିସ ବ୍ୟାଣ୍ଡ ପାର୍ଟି ସମେତ ବିଭିନ୍ନ କଲେଜ ଓ ସ୍କୁଲର ମୋଟ ୨୭ଟି କଂଟିଜେଂଟ ଅଂଶଗ୍ରହଣ କରିଥିଲେ ।  ଏହି ଉପଲକ୍ଷେ କଲେଜ ପଡିଆରେ ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେଂଟ ଜାଭିଅର ହାଇସ୍କୁଲ, ତୁଳସୀ ବିଦ୍ୟା ମନ୍ଦିର, ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀମାନେ ଚିତାକର୍ଷକ ଦେଶଭକ୍ତି ନୃତ୍ୟ ପରିବେଷଣକରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ଏହାପରେ କଲେଜ ଇଂରାଜୀ ବିଭାଗ ସେମିନାର ହଲରେ ମୁଖ୍ୟ ଅତିଥି ଜିଲ୍ଲାର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧନା ପ୍ରଦାନ ସହ ବାରିମୂଳସ୍ଥିତ ଉପକାରାଗାରରେ କଏଦିମାନଙ୍କୁ ମିଷ୍ଟାନ୍ନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପ୍ରଚାର ସହିତ ପୈାରାଚଂଳ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,  ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର , କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ , ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ,  ଅଧ୍ୟାପକ ଅଜୟ କୁମାର ରାଉତ, ଅତିରିକ୍ତ ଏସପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି , ଏସଡିପିଓ ରାଜୀବଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶୁଭେନ୍ଦୁ ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ