ଅଯୋଧ୍ୟା -ବାରଣାସୀ ତୀର୍ଥଯାତ୍ରାରେ କେନ୍ଦ୍ରାପଡ଼ାର ୧୦୮ ବରିଷ୍ଠ ନାଗରିକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସୀ ଅଭିମୁଖେ କେନ୍ଦ୍ରାପଡ଼ା ଜିଲ୍ଲାର ୧୦୮ ଜଣ ବରିଷ୍ଠ ନାଗରିକଙ୍କ ସମେତ ୪ ଜଣ ଏସକର୍ଟ ଅଫିସର ତୀର୍ଥଯାତ୍ରାରେ ବାହାରିଛନ୍ତି। ଆଳି ବ୍ଲକରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଁଏ, ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା କରିଛନ୍ତି। ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଅଛନ୍ତି। ସମସ୍ତ ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଅପରାହ୍ନରେ ତିନୋଟି ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟାର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକମାନେ ଆଜି ଭୁବନେଶ୍ୱରରେ ରହଣି କରି ଆସନ୍ତା କାଲି ପୂର୍ବାହ୍ନ୧୧ ଟାରେ ଏକ ସ୍ୱତନ୍ତ୍ର ଟ୍ରେନଯୋଗ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରିବେ। ସେହି ଟ୍ରେନକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିବେ। ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ ଅଫିସର ଯାତ୍ରା କରିବେ। ଆସନ୍ତା କାଲି ଅର୍ଥାତ ୧୦ ତାରିଖ ଠାରୁ ୧୫ ସେପ୍େଟମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରା ପରିଭ୍ରମଣ କରିବେ।