ଦଶମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
କଟକ(ଓ୍ବାଇଏନଏସ): ଦଶମ ଜିଲ୍ଲା ପରିଷଦ ବୈଠକ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଗତ ନବମ ଜିଲ୍ଲା ପରିଷଦ ବୈଠକରେ ଉତଥାପିତ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ସମୀକ୍ଷା ପୂର୍ବକ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ଵାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳବେହେରା, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରି ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ସମୀକ୍ଷା କରିବା ସହ ଏହାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୟାସ ଜାରି ରଖାଯିବା ନେଇ ମତ ରଖିଥିଲେ । ଆଜିର ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ, ବନଖଣ୍ଡ, ଆଠଗଡ,ବନଖଣ୍ଡ କଟକ, ବନଖଣ୍ଡ, ବନ୍ୟ ପ୍ରାଣୀ ବନଖଣ୍ଡ ଚନ୍ଦକା, ବନଖଣ୍ଡ, ବନ୍ୟ ପ୍ରାଣୀ ବନଖଣ୍ଡ ସାତକୋଶିଆ, ବନଖଣ୍ଡ , ଖୋର୍ଦ୍ଧା,ନଗର ବନଖଣ୍ଡ, ଭୁବନେଶ୍ଵର, ଶିକ୍ଷା, ଖଣି, ଗ୍ରାମୀଣ ପାନୀୟ ଜଳ ଯୋଗାଣ-୧(ଅଧୀକ୍ଷଣ ଯନ୍ତ୍ରୀ), ଗ୍ରାମୀଣ ପାନୀୟ ଜଳ ଯୋଗାଣ-୨(ଅଧୀକ୍ଷଣ ଯନ୍ତ୍ରୀ), ଡ଼ି.ପି.ଡ଼ି.ପି, ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏତଦବ୍ୟତୀତ ବିଭିନ୍ନ ବ୍ଲକରେ ପାଣିପଞ୍ଚାୟତ ଗଠନର ଉପୁଜୁଥିବା ସମସ୍ୟା, ସ୍ୱାସ୍ଥ୍ୟ ବିଭାଗରେ ଆବଶ୍ୟକ ଅନୁଯାୟୀ ଆଉଟ ସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଦିଆଯିବା ସମ୍ପର୍କରେ, ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଯଥା ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଗୁଡ଼ିକୁ ଖୋଲିବା, ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତରଣ କରି ବିଦ୍ୟାଳୟ ମାନଙ୍କରେ ନିୟୋଜିତ କରିବା, ପ୍ରସ୍ତାବିତ ନୂତନ ରାସ୍ତା ନିର୍ମାଣ ଓ ମରାମତି, ରାସନକାର୍ଡ (E-KYC UPDATE) ଯୋଗାଇବାରେ ସରଳୀକରଣ ବ୍ୟବସ୍ଥା ଇତ୍ୟାଦି ଉପରେ ସଭ୍ୟ/ସଭ୍ୟା ମାନେ ଉକ୍ତ ଜିଲ୍ଲା ପରିଷଦ ବୈଠକରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଂଯୋଜନାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟାମାନେ ଉତ୍ଥାପନ କରୁଥିବା ସେମାନଙ୍କ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ସମସ୍ୟାଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଏଥିସହ ବନ୍ୟପ୍ରାଣୀ ଏବଂ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷର କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କ ସ୍ଥିତି ଯାଞ୍ଚ କରି ଏହାର ମରାମତି ଉପରେ ବିଶେଷ ଗୁରୁତ୍ଵ ଦେବା, ଦୁର୍ବଳ ନଦୀବନ୍ଧକୁ ସୁଦୃଢୀକରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ବିଶେଷକରି, ନଳକୂପ ସ୍ଥାପନ, ଉଠା ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରାଯିବା, ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡିକ ପୂରଣ କରାଯିବା ଆଦି ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଟକ, ଶ୍ରୀ ପ୍ରଶାନ୍ତ କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଦିବ୍ୟଲୋଚନ ମହାନ୍ତ,ଉପଜିଲ୍ଲାପାଳ ଆଠଗଡ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବନଖଣ୍ଡ ଅଧିକାରୀ, ଆଠଗଡ ଶ୍ରୀ ଯଜ୍ଞଦତ୍ତ ପତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ,ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ବିଡିଓ, ବ୍ଲକ୍ ଅଧ୍ୟକ୍ଷ ଓ ପ୍ରତିନିଧି, ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ବୃନ୍ଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତି ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।