୧୧୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ନିମାପଡା ଅବକାରୀ ଥାନା ପୁଲିସକୁ ସଫଳତା ମିଳିଛି। ୧୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧଳା ଜହର ଜବତ ହୋଇଛି। ଅବକାରୀ ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ କାକଟପୁର ବ୍ଲକ ପଣ୍ଡାସାହି ଅଂଚଳର ବିକାଶ ପାଢ଼ୀ (୩୦) । ତେବେ ବିକାଶ ଙ୍କ ନିକଟରୁ ୧୧୨ ଗ୍ରାମର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ବିଶେଷସୂତ୍ରରୁ ଖବର ପାଇଁ ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଧେଶକ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀ ଯୁକ୍ତ ପ୍ରଭାକର ସେଠୀ ଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ଦିନ କାକଟପୁର ମଙ୍ଗଳା କଲେଜ ଫାଟକ ନିକଟରେ ଚଢ଼ାଉ କରି ବିକାଶ ପାଢ଼ୀ (୩୦)ଙ୍କୁ ଗିରଫ କରି ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛନ୍ତି।ବିକାଶ ଙ୍କ ନିକଟରୁ ୧୧୨ଗ୍ରାମ ଧଳା ଜହର ଜବତ କରିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି। ଏହା ସହ ଅଭିଯୁକ୍ତ ଠାରୁ ଏକ ସ୍ମାଟ ଫୋନ, ଏକ ବଜାଜ ପଲସର ଗାଡି (ଓଆର ୦୫ ଭି ୧୩୫୪)ସହ ୧୬ଶହ ଟଙ୍କା ଜବତ କରିଥିଲା ଅବକାରୀ ପୋଲିସ।ଏ ନେଇ ଅବକାରୀ ଥାନା କେଶ ନମ୍ବର ୧୦୬/୨୫-୨୬ରେ ଏନ.ଡ଼ି.ପି.ଏସ ମାମଲା ରୁଜୁ କରି କୋର୍ଟ ଚାଲଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାର କୁ ପଠାଯାଇଛି। ଯାହାକି ସୂଚନା ଦେଇଛନ୍ତି ନିମାପଡା ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସେଠୀ । ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ଅବକାରୀ ଥାନା ନିମାପଡା ଓ କୋଣାର୍କ ଅଂଚଳର ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଏହି କାରବାର ସହ ଅନ୍ତଃରାଜ୍ୟ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି। ଧରା ପଡ଼ିଥିବା ଅଭିଯୁକ୍ତ ମାନେ ବାରମ୍ବାର ଏପରି ଅପରାଧ ଭିଆଇ ସହଜରେ ମୁକୁଳି ଯାଉଥିବାରୁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।


