କଲେଜ ପ୍ରତିଷ୍ଠାତାଙ୍କ ୧୧୫ ତମ ଜୟନ୍ତୀ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ କାହ୍ନୁଚରଣ ନାୟକଙ୍କ ୧୧୫ତମ ଜୟନ୍ତୀ କଲେଜ ପରିସରରେ ଜୁଲାଇ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏବଂ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ର, ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ପ୍ରତିଷ୍ଠାତାଙ୍କ ସୁପୁତ୍ରୀ ସ୍ନେହାପ୍ରଭା ଦଳେଇ ଓ ପୂର୍ବତନ ପ୍ରିନ୍ସପାଲ ପ୍ରମୋଦ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପ୍ରତିଷ୍ଠାତା ସ୍ବର୍ଗତ କାହ୍ନୁ ଚରଣ ନାୟକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଭା ଆରମ୍ଭରେ ପ୍ରଥମେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ବର୍ଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶୂଙ୍ଖଳିତ ଅଧ୍ୟୟନ, ଚରିତ୍ର ଗଠନ, ସଂଘର୍ଷର ମୂଲ୍ୟ, ପରିଶ୍ରମର ମୂଲ୍ୟ ସମ୍ପର୍କରେ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ବିରଞ୍ଚି ନାରୟଣ ରଥ ସଂଯୋଜନା କରିଥିଲେ। ଇଂରାଜୀ ଅଧ୍ୟାପକ ହରିଶ୍ଚନ୍ଦ୍ର ପାଇକ ମନ୍ତ୍ରପାଠ କରିଥିବାବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ସ୍ମୃତି ଚାରଣ ବିବରଣୀ ପଠନ କରିଥିଲେ। ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ , ସାମ୍ବାଦିକ ବନ୍ଧୁଗଣଙ୍କ ସହିତ ମହାବିଦୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ କଲେଜ ପରିସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ପ୍ରିନ୍ସପାଲ ଡକ୍ଟର ନାୟକ ବୃକ୍ଷ ରୋପଣର ଶୁଭାରମ୍ଭ କରିବା ପରେ ଅନ୍ୟ ସମସ୍ତେ ବୃକ୍ଷ ରୋପଣ କରିଥିଲେ।