ପାଗଳ ମାଙ୍କଡ଼ କାମୁଡ଼ାରେ ୩ ଜଣ ମହିଳା ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ) : କିଛି ମାସର ବ୍ୟବଧାନ ପରେ ହିଂଜିଳି ଅଂଚଳରେ ପୁଣି ଥରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ହିଂଜିଳି ଥାନା କାଂଜିଆମା ଗ୍ରାମରେ ରବିବାର ପାଗଳ ମାଙ୍କଡ଼ କାମୁଡ଼ାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ଲକ୍ଷ୍ମୀ ମହାନ୍ତି (୪୫), ପ୍ରତିମା ମହାନ୍ତି (୪୭) ଓ ସୁଚିତ୍ରା ଜେନା (୨୨) । ରବିବାର ସକାଳ ସାଢେ ୯ ଘଂଟା ସମୟରେ କାଂଜିଆମା ଗ୍ରାମର ଦୁଇ ମହିଳା ଘରର ବାରିପଟେ କାମ କରୁଥିବା ବେଳେ ହଠାତ ଏକ ପାଗଳ ମାଙ୍କଡ଼ ଆସି ଦୁଇ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାମୁଡ଼ି ଦେଇଥିଲା । ପରିବାର ସଦସ୍ୟ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଅପରାହ୍ନ ପ୍ରାୟ ୩ ଟାରେ ସଂପୃକ୍ତ ଗ୍ରାମର ସୁଚିତ୍ରା ନାମକ ଜୈନିକା ମହିଳା ଘରର ଛାତ ଉପରକୁ କୌଣସି କାମରେ ଯାଇଥିବା ବେଳେ ପାଗଳ ମାଙ୍କଡ଼ଟି ମହିଳାଙ୍କୁ କାମୁଡ଼ି ଦେଇଥିଲା । ପରିବାର ସଦସ୍ୟ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗ୍ରମାବାସୀ ପାଗଳ ମାଙ୍କଡ଼ ଘଟଣା ନେଇ ଆସିକା ବନାଂଚଳ ଭାରପ୍ରାପ୍ତ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମବାସୀ କହିଛନ୍ତି । ପାଗଳ ମାଙ୍କଡ଼କୁ ବନବିଭାଗ କାବୁ ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ଗତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ହିଂଜିଳି ଥାନା କଂଟେଇକୋଳି ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ୪୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।