ଜନଗଣନା ପ୍ରକ୍ରିୟାରେ ସ୍ବତନ୍ତ୍ର ଭାବରେ ଓବିସି ସର୍ଭେ କରିବ ଓଡ଼ିଶା

ଭୁବନେଶ୍ବର : ଜନଗଣନାରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ବେକ୍ଷଣ କରିବ। ଏହି ପ୍ରସ୍ତାବ ସୋମବାର ଦିନ ବିଧାନସଭାର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। ୧୯୩୮ ମସିହା ଠାରୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ଜନଗଣନା ହୋଇନାହିଁ। ତେଣୁ ଏହି ୯୦ ବର୍ଷର ପୁରୁଣା ତଥ୍ୟକୁ ଭିତ୍ତି କରି ଯୋଜନା ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ବିଧାନସଭା ସର୍ବସମ୍ମତିକ୍ରମେ ଏହି ସଂକଳ୍ପ ପାରିତ କରିବା ଫଳରେ ଭାରତ ସରକାରଙ୍କ ଜନଗଣନା ସହିତ ଆମ ରାଜ୍ୟ ସ୍ବତନ୍ତ୍ର ଭାବରେ ଓବିସି ସମ୍ପର୍କିତ ସର୍ଭେ କାର୍ଯ୍ୟକାରୀ କରିବ, ଯାହାକି ସେହି ବର୍ଗର ଲୋକମାନଙ୍କ ହିତ ସାଧନରେ ଯଥେଷ୍ଟ ସହାୟକ ହେବ।
ଗତକାଲି ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରିକା ଏହି ବିଲ୍‌ ଆଗତ କରି ତା’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ରାଜ୍ୟରେ ପଛୁଆ ବର୍ଗ ଜନସାଧାରଣଙ୍କ ସାମାଜିକ ଏବଂ ଶୈକ୍ଷିକ ସ୍ଥିତି ସମ୍ପର୍କରେ ସର୍ଭେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ। ସଂକ୍ଷିପ୍ତ ଆଲୋଚନା ପରେ ବିଲ୍‌ ଓ ସଂକଳ୍ପ ଗୃହର ଅନୁମୋଦନ ଲାଭ କରିଥିଲା। ସଂକଳ୍ପଟି ସର୍ବସମ୍ମତିକ୍ରମେ ବିଧାନସଭାରେ ପାରିତ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିରୋଧୀ ଦଳର ସଭ୍ୟମାନେ ଏହି ବିଲ୍‌ ଓ ସଂକଳ୍ପକୁ ସମର୍ଥନ କରିଥିଲେ ସୁଦ୍ଧା ତରବରିଆ ଭାବରେ ତାହା ପାରିତ ହୋଇଥିବା ଘଟଣାକୁ ଘୋର ନାପସନ୍ଦ କରିଥିଲେ। ସେମାନେ ଜଣାଇଥିଲେ ଯେ, ଏଭଳି ଗମ୍ଭୀର ତଥା ସ୍ପର୍ଶକାତର ପ୍ରସଙ୍ଗ ଉପରେ ଗୃହରେ ଅଧିକ ସମୟ ପାଇଁ ବିତର୍କ ହେବାର ଜରୁରୀ ଆବଶ୍ୟକତା ଥିଲା। କିନ୍ତୁ ତରବରିଆ ଭାବେ ବିଲ୍‌ ଓ ସଂକଳ୍ପ ପାରିତ କରିବା ଫଳରେ ଅଧିକ ବିତର୍କ ସମ୍ଭାବନା ଧୂଳିସାତ୍‌ ହେଲା। ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପ୍ରଭୃତି ଏଥିନେଇ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୧ ଜନଗଣନା ପ୍ରକ୍ରିୟାରେ ଓବିସି ମାନଙ୍କୁ ଚିହ୍ନଟ କରିବା ଲାଗି ସ୍ବତନ୍ତ୍ର ସର୍ଭେ ନିମେନ୍ତ ଏହା ପୂର୍ବରୁ ରାଜ୍ୟସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ। ମାତ୍ର ସେହି ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ଯୋଗୁ ଓଡ଼ିଶା ସରକାର ବିଧାନସଭାରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ