୧୨ତମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): କଟକ ଆଠଗଡ ପଞ୍ଚାୟତ ସମିତିର ୧୨ତମ ସାଧାରଣ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମାନ୍ୟବର ବିଧାୟକ ଆଠଗଡ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ଆଚାର୍ଯ୍ୟଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକୁ ଗ୍ରାମ ପଞ୍ଚାୟତ ସ୍ତରରେ ସଫଳ ଭାବରେ ସମାପ୍ତ କରିବା ନେଇ ଆଲୋଚନା କରାଯାଇଥିଲା । ଏହାସହ ଅଦ୍ୟୋଦୟ ଗୃହ ଯୋଜନା ଓ ଆବାସ ଯୋଜନାର ସର୍ଭେ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଭୌତିକ ଭିତିଭୂମି ଓ ସମସ୍ୟାଗୁଡିକୁ ନେଇ ଆଲୋଚନା ହୋଇଥିଲା । ଏଥିମଧ୍ୟରେ ନିର୍ମାଣାଧୀନ ଅବସ୍ଥାରେ ଥିବା ୨୩ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯୋଗାଣ ବିଭାଗ ସମ୍ପର୍କରେ ଆଲୋଚନା କରିବା ସମୟରେ ହିତାଧିକାରୀଙ୍କ e-KYC ସମ୍ପନ୍ନ ଏବଂ ନୂଆ ହିତାଧିକାରୀ ଏପର୍ଯ୍ୟନ୍ତ କିପରି ଚାଉଳ ପାଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍କ ଆଲୋଚନା ହୋଇଥିଲା । ଏହି ସମସ୍ୟାଗୁଡିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମାନ୍ୟବର ବିଧାୟକ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପଞ୍ଚାୟତ ସ୍ତରରେ ନୂତନ ପ୍ରକଳ୍ପ, ରାସ୍ତା ନିର୍ମାଣ, ଅଧଖଣ୍ଡିଆ ରହିଥିବା ଉନ୍ନୟନ କାର୍ଯ୍ୟଗୁଡିକୁ ଶୀଘ୍ର ସମାପ୍ତ କରିବା ଓ ଅନ୍ୟାନ୍ୟ ପଞ୍ଚାୟତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ପରିଶେଷରେ ମାନ୍ୟବର ବିଧାୟକ ଶ୍ରୀ ସ୍ବାଇଁ ସମସ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟକର୍ତ୍ତାମାନଙ୍କୁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ନିଷ୍ପକ୍ଷ ଓ ନିସ୍ୱାର୍ଥ ଭାବେ ପଞ୍ଚାୟତଗୁଡିକର ସମଗ୍ର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ମଣ୍ଡଳବିତ୍ତ ଅଧିକାରୀ ଶ୍ରୀ ନବ କୁମାର କଟକିଆ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ କିରଣ କୁମାର ମଲ୍ଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ପାଲୋ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା, ସମସ୍ତ ସରପଞ୍ଚ ଏବଂ ବିଭିନ୍ନ ବିଭାଗୀୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ