ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ

କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିବା ସହ ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇଥିଲେ । କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ସହିତ ଓଡ଼ିଶା ପାଇଁ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି । ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ । ଆଜି ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସ୍ତରରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଉଛି । “ଓଡ଼ିଶାର ଜନସାଧାରଣ ଏବଂ ଏଠାକାର ସରକାରଙ୍କୁ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ଆସିଥିବା ୩ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତଙ୍କୁ ଅନେକ ଅନେକ ଶୁଭକାମନା । ସାଥୀଗଣ ଆଗାମୀ ଦିନରେ ୨୦୦ରୁ ଊର୍ଦ୍ଧ୍ୱ ପଦକ ଜିତିବାର ଲକ୍ଷ୍ୟ ସହିତ ଆପଣମାନଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାର ସୁଯୋଗ ମିଳିବ । ନିଜର ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଁଚାଇବାର ଅବସର ମିଳିବ । ଭୁବନେଶ୍ୱରରେ ଆପଣମାନେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନିଜ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭୁବନେଶ୍ୱରରେ ଆପଣମାନେ କରିଥିବା ପରିଶ୍ରମ, ଆପଣମାନଙ୍କ ସ୍ୱପ୍ନକୁ, ପରିବାରର ସ୍ୱପ୍ନକୁ ଓ ଭାରତର ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୋଦୀ ଆହୁରି କହିଥିଲେ ଯେ ଏହି ସମାରୋହର ମଶାଲଧାରୀ ଦୂତୀ ଚାନ୍ଦଙ୍କ ଭଳି ଅନେକ କ୍ରୀଡ଼ାବିତ ଆପଣମାନଙ୍କ ପାଇଁ ପ୍ରେରଣା । ଆପଣମାନେ ମେଡାଲ ଜିତନ୍ତୁ ଏବଂ ଦେଶକୁ ଫିଟ ରଖିବା ପାଇଁ ଅନୁପ୍ରାଣିତ ମଧ୍ୟ କରନ୍ତୁ । ଏହି ଭାବନା ନେଇ ପଡ଼ିଆକୁ ଓହ୍ଲାଇବା ଲାଗି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ କରିଥିଲେ । “ଆଜିର ଦିନ କେବଳ ଏକ ପ୍ରତିଯୋଗିତାର ଆରମ୍ଭ ନୁହେଁ, ବରଂ ଭାରତରେ କ୍ରୀଡ଼ା ଆନ୍ଦୋଳନର ପରବର୍ତୀ ପର୍ଯ୍ୟାୟର ଆରମ୍ଭ । ଖେଲୋ ଇଣ୍ଡିଆ ଅଭିଯାନ ଦେଶର କୋଣଅନୁକୋଣରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିଛି । ଏହା ଯୁବ ପ୍ରତିଭା ଚିହ୍ନଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଏହି ଅଭିଯାନକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ଆରମ୍ଭ କରାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯିବା ଫଳରେ ଦେଶରେ କିଭଳି ପରିବର୍ତନ ଆସିଛି ତା’ର ଉଦାହରଣ ନିକଟରେ ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ୨୦୧୮ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ ୬ ହଜାରରୁ ମଧ୍ୟ ଅଧିକ ହୋଇଯାଇଛି । ଖେଳ ଓ ଖେଳାଳୀ ତଥା କ୍ରୀଡ଼ା ଭିତିଭୂମି ସ୍ତରରେ ମଧ୍ୟ ଲଗାତାର ସୁଧାର ହୋଇଛି । ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ୮୦ଟି ରେକର୍ଡ ଭାଙ୍ଗିଥିଲା । ଏଥିମଧ୍ୟରୁ ୫୬ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ଫଳରେ ଛୋଟ ସହରର ସାଧାରଣ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ସଫଳତା ହାସଲ କରିବାର ସୁଯୋଗ ପାଉଛନ୍ତି । ଏମାନେ ଦେଶ ପାଇଁ ନୂଆ ଆଶା ସଂଚାର କରିଛନ୍ତି । ପୂର୍ବରୁ ଏହି ପ୍ରତିଭାମାନେ ସୁବିଧାସୁଯୋଗ ଅଭାବରୁ ଆଗକୁ ବଢ଼ିପାରୁନଥିଲେ । ଗତ ୫ ବର୍ଷ ଧରି ଭାରତରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଲଗାତାର ପ୍ରୟାସ କରାଯାଉଛି । ପ୍ରତିଭା ଚିହ୍ନଟ, ତାଲିମ କିମ୍ବା ଚୟନ ପ୍ରକ୍ରିୟା ହେଉ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଉଛି । ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆସିପାରିଛି । ଖେଲୋ ଇଣ୍ଡିଆ ଅଭିଯାନ ଯୁବ ପ୍ରତିଭା ଚିହ୍ନଟ ପାଇଁ ଏକ ବହୁତ ବଡ଼ ମାଧ୍ୟମ ହୋଇପାରିଛି । ଏହା ମାଧ୍ୟମରେ ଚୟନ କରାଯାଇଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାର୍ଷିକ ପାଖାପାଖି ୬ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଏମାନଙ୍କୁ ଦେଶର ୧୦୦ରୁ ଅଧିକ କ୍ରୀଡ଼ା ଏକାଡେମୀରେ ତାଲିମ ନେବାର ସୁଯୋଗ ମଧ୍ୟ ମିଳୁଛି । ବର୍ତମାନ ସୁଦ୍ଧା ପାଖାପାଖି ୩ ହଜାର ଏପରି ଖେଳାଳିଙ୍କୁ ଚୟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଲୋ ଇଣ୍ଡିଆ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯୁବକଯୁବତୀ ଏହି ମୋବାଇଲ ଆପକୁ ଡାଉନଲୋଡ କରି ଦେଶରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ସୂଚନା ବିଷୟରେ ଜାଣିପାରିବେ । ଏହାବ୍ୟତୀତ ଅଲିମ୍ପିକ୍ସ ପୋଡିୟମ ଯୋଜନା ଅନ୍ତର୍ଗତ ଦେଶର ପ୍ରତିଭାଶାଳୀ କ୍ରୀଡ଼ାବିତଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଦେଶର ପାଖାପାଖି ୧୦୦ ଶୀର୍ଷ କ୍ରୀଡ଼ାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଏମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ଯୋଜନାର ଲାଭ ପାଉଥିବା ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏସିଆନ ପାରା ଗେମ୍ସ, ଯୁବ ଅଲିମ୍ପିକ୍ସ ଭଳି ଭିନ୍ନ ଭିନ୍ନ ମୁକାବିଲାରେ ୨୦୦ରୁ ଅଧିକ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ସେହିପରି ଉତ୍କୃଷ୍ଟ କ୍ରୀଡ଼ାବିତଙ୍କ ପାଇଁ ଆଜୀବନ ପେନସନ ସୁବିଧା କରାଯାଇଛି । ଦେଶର କ୍ରୀଡ଼ାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ସେମାନଙ୍କ ପାଇଁ ଅନ୍ୟ ସମସ୍ତ ଚିନ୍ତା ଦେଶ କରୁଛି ବୋଲି ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଠପଢ଼ା ସହିତ ଖେଳ ଜାରି ରଖାଯିବା ଉଚିତ । ଏହାଦ୍ୱାରା ଫିଟନେସର ସ୍ତର ବୃଦ୍ଧି ପାଇବ । ଆମର ଖେଳାଳି, ଆମର ଯୁବକମାନେ ପ୍ରତ୍ୟେକ ପ୍ରକାରର କ୍ୟାରିଅର ପାଇଁ ଫିଟ ରୁହନ୍ତୁ, ସେଥିପାଇଁ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଭଳି ସଂସ୍ଥାନ ନିର୍ମାଣ କରାଯାଉଛି । ଦେଶର ଯୁବକମାନଙ୍କ ଫିଟନେସ ହେଉ କିମ୍ବା ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତର ସଫଳତା, ସେଥିପାଇଁ ଆମକୁ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ ପ୍ରୟାସ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଔପଚାରିକ ଘୋଷଣା କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗତ ଜିଣିବା ପାଇଁ ଆଗେଇ ଯିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ପୂର୍ବରୁ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ କରାଯାଉଛି । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ରିଜିଜୁ କହିଥିଲେ, “ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପ୍ରତିଯୋଗିତା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ, ଗେଲ, ଓଏନଜିସି ଆଦି ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରାୟୋଜକ ଅଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କାରଣରୁ ଏହା ସମ୍ଭବ ହୋଇଛି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଆହୁରି କହିଥିଲେ ଯେ ଖେଲୋଇଣ୍ଡିଆ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ାବିତମାନଙ୍କୁ ନିଜର ପ୍ରଦର୍ଶନରେ ସୁଧାର ଆଣିବା ଲାଗି ଉନ୍ନତ ଅବସର ଯୋଗାଇ ଦେବ । ଆମେ ୧୭, ୧୯ ଏବଂ ୨୧ ବର୍ଷରୁ କମ ବୟସବର୍ଗରେ ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଆସୁଛୁ । ଭାରତକୁ ବିଶ୍ୱର କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ପୂରଣ ଦିଗରେ ଏପରି କ୍ରୀଡ଼ା ପ୍ରତିଯୋଗିତା ବିଶେଷ ସହାୟକ ହୋଇପାରିବ । ଏହା ଦେଶର କ୍ରୀଡ଼ା ପ୍ରତିଭାଙ୍କ ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ହୋଇପାରିବ । ଆମେ ଭାରତରେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ ଆୟୋଜନ ଲାଗି ଲକ୍ଷ୍ୟ ରଖିଛୁ ବୋଲି ରିଜିଜୁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସ କାରଣରୁ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ପ୍ରତିଯୋଗିତା ଉଦଘାଟିତ ହେବା ଆମ ପାଇଁ ଗର୍ବର ବିଷୟ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ଆସିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସେ ରାଜ୍ୟବାସୀ ତଥା ଭାରତ ସରକାରଙ୍କ ତରଫରୁ ସ୍ୱାଗତ ଜଣାଇଥିଲେ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ କହିବା ଅନୁସାରେ ଓଡ଼ିଶାରେ ହିଁ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ ଆୟୋଜନ କରାଯାଉ ବୋଲି ପ୍ରଧାନ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ସଚିବ ରାଧେଶ୍ୟାମ ଜୁଲାନିଆଁ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ସଭାଶେଷରେ ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ, କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କୀ ପ୍ରମୁଖ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶପଥ ପାଠ କରିବା ସହିତ ମଶାଲ ଧରିଥିଲେ । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ