ବାହାର ରାଜ୍ୟର ଲୋକଙ୍କ ଆଗମନ କରୋନା ଭୟ ବନ୍ଦ ରହୁଛି ଡାକ୍ତରଖାନା

ଯୋଡ଼ା (ଯୁଗାଦ୍ଦ) : ଖଣି ଉପତ୍ୟାକା ଯୋଡା କୁ ବିଭିନ୍ନ ରାଜ୍ୟର ଲୋକଙ୍କର ଆଗମନ ହୋଇଥାଏ । ଆନ୍ତଃରାଷ୍ଟ୍ରୀୟ ସ୍ତରରେ ଲୁହାପଥରର ଚାହିଦା ଥିବାରୁ ବିଶେଷ୍ୱତଃ ଚାଇନାର ଲୁହାପଥର ବ୍ୟବସାୟୀ ମାନେ ଏଠାକୁ ଆସିଥାନ୍ତି । ଏତଦଃବ୍ୟତିତ ଦିଲୀ, ପଶ୍ଚିମବଙ୍ଗ, ଉତରପ୍ରଦେଶ, ଛତିଶଗଡ, ତାମିଲନାଡୁ, ବିହାର , ଝାଡଖଣ୍ଡ, ହରିୟାଣା, ରାଜସ୍ଥାନ ପ୍ରଭୃତି ଅଂଚଳର ବ୍ୟବସାୟୀମାନେ ଓଡିଶା ରାଜ୍ୟର ଏହି ଯୋଡା ଖଣି ମଣ୍ଡଳକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି ଏବଂ ଅନ୍ୟ ରାଜ୍ୟରୁ ମଧ୍ୟ ଶ୍ରମିକମାନେ ଆସି ଏଠାରେ କାର୍ଯ୍ୟ କରୁଛନ୍ତି । ଏଣୁ ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକମୂଳକ ଆଇସୋଲେସନ୍ କକ୍ଷ ସ୍ଥାପନ କରାଯାଇନାହିଁ । ତେଣେ ଏ ଅଂଚଳର ଲୋକମାନେ ନିର୍ଭର କରୁଥିବା ଟାଟାଷ୍ଟିଲ ଡାକ୍ତରଖାନାରେ ଏନେଇ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ସୂଚନାନୁଯାୟୀ, ଟାଟାଷ୍ଟିଲ ପକ୍ଷରୁ ୧ମାସ ପୂର୍ବରୁ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଟିଏସଆରଡିଏସ୍ ପକ୍ଷରୁ ସହରରେ ଥିବା ବିଭିନ୍ନ ସ୍କୁଲ୍ ଗୁଡିକରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି । ଟାଟାଷ୍ଟିଲ ଡାକ୍ତରଖାନାରେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏକ ଆଇସୋଲେସନ୍ କକ୍ଷର ବ୍ୟବସ୍ଥା କରାଯାଇଅଛି । ଯେଉଁଥିରେ କି, ରୋଗୀକୁ ଉପଯୁକ୍ତ ଚିକିତ୍ସା କରାଯାଇପାରିବ । ତେଣେ ଖଣି ନିଲାମ ପ୍ରକ୍ରିୟା ପରେ ଯୋଡା ସହରରେ ବାହାର ରାଜ୍ୟର ଲୋକମାନଙ୍କର ଆଗମନ ଅତ୍ୟଧିକ ବୃଦ୍ଧି ପାଇବାରେ ଦେଖିବାକୁ ମିଳିଛି । ଏଣୁ ଯୋଡା ଅଂଚଳରେ ଜନସାଧାରଣଙ୍କ ମନରେ କରୋନାକୁ ନେଇ ଭୟ ସୃଷ୍ଟି ହେବା ସ୍ୱଭାବିକ୍ । ଯୋଡା ପୌରପାଳିକା ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ସାହି , ବସ୍ତିରେ ଓଡିଆ ବ୍ୟତିତ ଅନ୍ୟ ଭାଷାରେ ଲୋକମାନଙ୍କୁ ସଚେତନତା କରାଯାଉଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ କହିଛନ୍ତି । ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଂଜନ ବହିଦାର କହିଛନ୍ତି ଯେ, ସନ୍ଧ୍ୟା ୫ ଘଟିକାରୁ ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ବନ୍ଦ ରହୁଛି । ଡାକ୍ତରମାନେ ଫୋନ ମଧ୍ୟ ଉଠାଉନାହାନ୍ତି । ଜିଲା ପ୍ରଶାସନ ଉପାନ୍ତ ଅଂଚଳର ସ୍ୱାସ୍ଥ୍ୟକୁ ନେଇ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି । ହଜାର ହଜାର କୋଟି ଥିବା ଡିଏମଏଫ ଟଙ୍କାରେ ଏଠାରେ ଏକ ସୁପର ସ୍ପେଶାଲିଟିଜ୍ ମେଡିକାଲ ସ୍ଥାପନ ହୋଇପାରନ୍ତା । ହେଲେ ପ୍ରଶାସନିକ ଅପାରଗତା ହେତୁ ଅଂଚଳବାସୀ ସ୍ୱାସ୍ଥ୍ୟ ସୁବିଧାରୁ ବଂଚିତ ହେଉଛନ୍ତି । କରୋନା ଭାଇରସ୍ ସଂକ୍ରମଣର ଭୟାଭହତା ଅଧିକ ଥିବାରୁ ବିଭିନ୍ନ କମ୍ପାନୀମାନେ ଯେଉଁ ବାୟୋମେଟ୍ରିକ ସିଷ୍ଟମ୍ ବ୍ୟବହାର କରୁଅଛନ୍ତି ତାହା ଦ୍ୱାରା ଭାଇରସ୍ ସଂକ୍ରମଣ ଅଧିକ ସମ୍ଭାବନା ରହିଛି ଏଣୁ ଏହାକୁ ବନ୍ଦ କରାଯିବା ଉଚିତ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ