ରେଭେନ୍ସା ଇଷ୍ଟ ହଷ୍ଟେଲରେ ଫୁଡ୍ ପଏଜନିଂରୁ ଝାଡ଼ାବାନ୍ତି, ୧୬ ଛାତ୍ର ଏସ୍ସିବିରେ ଚିକିତ୍ସିତ
କଟକ, (ଓ୍ବାଇଏନଏସ): ରେଭେନ୍ସା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । ଇଷ୍ଟ ହଷ୍ଟେଲର ୧୬ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ସମସ୍ତ ଆକ୍ରାନ୍ତଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତ ଛାତ୍ରଙ୍କୁ ଫୁଡ୍ ପଏଜନିଂ ହୋଇଥିବା ନେଇ ସୂଚନା ମିଳିଛି । ଏସ୍ସିବି କାଜୁଆଲଟିରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ମଙ୍ଗଳବାର ରାତିରେ ଏଭଳି ସ୍ଥିତି ଉପୁଜିବାରୁ ସମସ୍ତଙ୍କୁ ଏସ୍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗତ ଜୁଲାଇ ମାସରେ ରେଭେନ୍ସା ନ୍ୟୁ ପିଜି ଓ ଧର୍ମପଦ ହଷ୍ଟେଲର ୮୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ବାସି ଓ ଖରାପ ମାଛ ତରକାରୀ ଖାଇ ଛାତ୍ର ଆକ୍ରାନ୍ତ ହୋଇଥିବା ପ୍ରାଥମିକ ସମୀକ୍ଷାରୁ ଜଣାପଡିଥିଲା । ଉଭୟ ହଷ୍ଟେଲରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ରୋଷେଇ ଘର, ହଷ୍ଟେଲ ବାରଣ୍ଡା ବିଶୋଧନ କରାଯାଇଥିଲା । ନୂଆ ଭେଣ୍ଡରକୁ ଏସ୍ଓପି ମାନି ଖାଦ୍ୟ ଯୋଗାଇ ଦେବାକୁ ତାଗିଦ କରାଯାଇଥିଲା । ଖାଇବା ପରେ ହଠାତ ଛାତ୍ରମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଏଥର ମଧ୍ୟ ସମାନ ଢଙ୍ଗରେ ଛାତ୍ରମାନେ ଫୁଡ୍ ପଏଜନିଂ କାରଣଙ୍କୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।


