୧୬୦ଲିଟର ଚୋରାମଦ ଜବତ, ୬ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ଅବୈଧ ଚୋରାମଦ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବିଶେଷ ଚଢ଼ାଉ ଜାରିରହିଥିବା ବେଳେ ଆଜି ବିଭିନ୍ନ ସ୍ଥାନରୁ ବ୍ୟାପକ ପରିମାଣର ଚୋରା ମଦ ଜବତ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମାର୍ଶାଘାଇ, ରାଜନଗର, ଆଳି ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଧ୍ୟପଡ଼ା ଗ୍ରାମର ସରୋଜ ଜେନା(୩୦)ଙ୍କ ଠାରୁ ୨୪ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ, କାହାରପୁର ଗ୍ରାମର ରତ୍ନାକର ଜେନା(୩୧)ଙ୍କ ଠାରୁ ୧୩ ଲିଟର ଚୋରା ଦେଶୀ ମଦ, ହାବୁଲଗଣ୍ଡ ଗ୍ରାମର କେଦାରନାଥ ସେଠୀ(୩୮)ଙ୍କ ଠାରୁ ୨୬ ଲିଟର ଚୋରା ବିଦେଶୀ ମଦ, କାନପୁର ଗ୍ରାମର ସଞ୍ଜୟ କୁମାର ପରିଡା(୪୦)ଙ୍କ ଠାରୁ ୨୯ ଲିଟର ଚୋରା ବିଦେଶୀ ମଦ, ବିଜୟନଗର ଗ୍ରାମର ପ୍ରକାଶ ଚନ୍ଦ୍ର ସେଠୀ(୨୮)ଙ୍କ ଠାରୁ ୪୫ ଲିଟର ଚୋରା ବିଦେଶୀ ମଦ ଏବଂ ନଛିପଡ଼ା ଗ୍ରାମର ଚଗଲା ଦାସ(୩୫)ଙ୍କ ଠାରୁ ୨୩ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେମାନଙ୍କ ପାଖରୁ ମୋଟ ୧୬୦ ଲିଟର ବିଦେଶୀ ଓ ଦେଶୀ ଚୋରା ମଦ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଛାୟାକାନ୍ତ ନାୟକ, କଳ୍ପନା ରାଉତ, ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


