୭ବର୍ଷରୁ କମ୍ ଦଣ୍ଡଭୁକ୍ତ କଏଦୀ ମୁକ୍ତ ହେବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ କୋରୋନା ଭୂତାଣୁ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି କମ୍ ଗୁରୁତ୍ୱ ରଖୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ୭ ବର୍ଷରୁ କମ୍ ଜେଲଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ପାରୋଲ୍ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ଉଭୟ ଦଣ୍ଡିତ ଏବଂ ବିଚାରାଧୀନ କଏଦୀଙ୍କ ଲାଗି ଉଦ୍ଦିଷ୍ଟ।
କଏଦୀମାନଙ୍କୁ ୬ ସପ୍ତାହ ପାରୋଲ ଦେବାକୁ କୋର୍ଟ କହିବା ସହ ଜେଲରୁ ଭିଡ଼ ହ୍ରାସ କରିବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ନିର୍ଦେଶ ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରିବା ଉଚିତ୍। ଏହି କମିଟିରେ ଆଇନ ସଚିବ, ସେବା ପ୍ରାଧିକରଣର ଅଧ୍ୟକ୍ଷ ଓ ଜେଲର ଡିଜିଙ୍କୁ ସାମିଲ କରିବା ଉଚିତ। କେଉଁ ଦୋଷୀ ସାବ୍ୟସ୍ତ କଏଦୀ ଏବଂ ବିଚାରାଧୀନ କଏଦୀନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ ଏ ନେଇ କମିଟି ନିଷ୍ପତ୍ତି ନେବ।
ସୂଚନା ମୁତାବକ, ଗତ ମାର୍ଚ୍ଚ ୧୭ରେ ଏହି ମାମଲାର ଶୁଣାଣି ହୋଇଥିଲା। ଏହା ପରେ ପ୍ରଧାନ ବିଚାରପତି ଏସ ଏ ବୋବଡେ ଜେଲ ଅଧିକାରୀମାନଙ୍କୁ ପଚାରିଥିଲେ ଯେ, କଏଦୀମାନେ ଅଧିକ ଥିବାବେଳେ ସେମାନେ କୋରୋନା ସଂକ୍ରମଣକୁ କିପରି ରୋକିବେ? ଏହା ପରେ ବୋବଡେ କହିଥିଲେ, ଭୂତାଣୁ ବିସ୍ତାର ନହେବା ପାଇଁ ସରକାର ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି, କିନ୍ତୁ ଜେଲଗୁଡିକରେ କ୍ଷମତା ଅପେକ୍ଷା ଅଧିକ କଏଦୀ ଅଛନ୍ତି, ତେଣୁ ଦୂରତା ରଖିବା କଷ୍ଟକର ହୋଇପଡିଛି। ଏହି ମାମଲାରେ କୋର୍ଟ ନିଜ ଆଡ଼ୁ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ