୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି । ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତଧୂଆ ବିଶୋଧକର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି । ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି । ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇଦିନ ମଧ୍ୟରେ ଏଥିପାଇଁ ଅନୁମତି ପ୍ରଦାନ କରାଯିବ । ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପ୍ରସ୍ତୁତକାରୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି । ସେମାନଙ୍କ ମଧ୍ୟରୁ କେତେକ ଏହାର ପ୍ରସ୍ତୁତିରେ ଲାଗିଯାଇଥିବା ବେଳେ ଆଉ କେତେକ ସପ୍ତାହକ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବାରୁ ହସ୍ପିଟାଲ ଓ ଖାଉଟିମାନଙ୍କ ପାଇଁ ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ହେବ । ସାଧାରଣ ଲୋକ ଓ ହସ୍ପିଟାଲଗୁଡିକ ଯୋପରି ସୁଲଭ ମୂଲ୍ୟରେ ସାନିଟାଇଜର ପାଇପାରିବେ ସେଥିପାଇଁ ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ୨୦୦ ମିଲିଲିଟର ଯୁକ୍ତ ଏକ ବୋତଲ ସାନିଟାଇଜର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ସେହିପରି ଅଧିକ ମାତ୍ରାରେ ଉପଲବ୍ଧ ସାନିଟାଇଜର ବୋତଲର ମୂଲ୍ୟ ତାହାର ପରିମାଣ ହିସାବରେ ଧାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ