ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ / ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକଡାଉନରେ ସଂକଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଦ୍ଭୁତପୂର୍ବ ସମୟ ଅଦ୍ଭୁତପୂର୍ବ ପଦକ୍ଷେପ ପାଇଁ ଆହ୍ୱାନ କରେ । ଆହ୍ୱାନମୂଳକ ସମୟରେ ଦାୟିତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି ମୋଦି ସରକାର । ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ୱାସ୍ଥ୍ୟକର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ କରୋନା ମହାମାରୀ ଆର୍ଥିକ ସମସ୍ୟାକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ, ବୀମା, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାମଣାରେ ତିନିଟି ଏଲପିଜି ସିଲିଣ୍ଡର ଆଗାମୀ ୩ ମାସ ପାଇଁ ଯୋଗାଇବା ଏବଂ ଅନ୍ୟ ନିଷ୍ପତ୍ତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ । ସେହିପରି କରୋନା ଭୂତାଣୁ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଘୋଷଣା କରାଯାଇଛି । ଦେଶର ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦୦ କୋଟି ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି । ୨୦ କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀ ଆସନ୍ତା ୩ ମାସ ପାଇଁ ମାସିକ ୫୦୦ ଟଙ୍କା ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତୀତ ୬୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବନ୍ଧକବିହୀନ ଋଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ