ବିବାଦୀୟ ପୋଷ୍ଟ୍ ପାଇଁ ଚାକିରିରୁ ତଡ଼ାଖାଇଲେ ଇନଫୋସିସ୍ ଇଞ୍ଜିନିୟର୍

ବେଙ୍ଗାଲୁରୁ: ଦେଶର ପ୍ରମୁଖ ସଫ୍ଟୱେୟର୍ କମ୍ପାନୀ ଇନଫୋସିସର ଜଣେ ଇଞ୍ଜିନିୟରଙ୍କୁ ବିବାଦୀୟ ପୋଷ୍ଟ୍ ପାଇଁ ଚାକିରି ହରାଇବାକୁ ପଡ଼ିଛି। ଏହି ସଫ୍ଟୱେୟର୍ ଇଞ୍ଜିନିୟର୍ ଜଣକ ନିକଟରେ ଫେସବୁକରେ ଏକ ମତାମତ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲୋକମାନଙ୍କୁ ବାହାରେ ବୁଲି ବୁଲି କୋରୋନା ଭୂତାଣୁ ସଂକ୍ରମଣ କରିବାକୁ ଆହ୍ବାନ ଦେଇଥିଲେ। ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରି ଇନଫୋସିସ୍ ପକ୍ଷରୁ ଉକ୍ତ ଇଞ୍ଜିନିୟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟ୍ବିଟର୍ ଯୋଗେ ସୂଚନା ଦିଆଯାଇଛି। ଏହି ସଫ୍ଟୱେୟର୍ ଇଞ୍ଜିନିୟରଙ୍କ ନାମ ମୁଜୀବ୍ ମହମ୍ମଦ ବୋଲି ଜଣାପଡ଼ିଛି।
ଏନେଇ ଇନଫୋସିସ୍ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ କେହି ଜଣେ ଇନଫୋସିସ୍ କର୍ମଚାରୀ ଏପରି ପୋଷ୍ଟ୍ କରିଥିବା ଜଣାପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ମହମ୍ମଦଙ୍କ ଆକାଉଣ୍ଟରୁ ଫରୱାର୍ଡ କରାଯାଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇନଫୋସିସ୍ ପକ୍ଷରୁ କୁହାଯାଇଛି। କମ୍ପାନୀର କୌଣସି କର୍ମଚାରୀ ଏପରି ଦାୟିତ୍ବହୀନ ପୋଷ୍ଟ୍ କରିବା ଏହାର ନିୟମ ବିରୁଦ୍ଧ। କମ୍ପାନୀର ସମାଜ ପ୍ରତି ଯଥେଷ୍ଟ ଦାୟିତ୍ବ ରହିଛି ଓ ଏହାକୁ ତୁଲାଇବା ସକାଶେ କମ୍ପାନୀ ସବୁବେଳେ ପ୍ରସ୍ତୁତ ରହିଛି। କିନ୍ତୁ କୌଣସି ପ୍ରକାର ବିବାଦୀୟ ପୋଷ୍ଟ୍ କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ। ତେଣୁ ମହମ୍ମଦଙ୍କୁ ତାଙ୍କ ପୋଷ୍ଟ୍ ପାଇଁ ଚାକିରିରୁ ବରଖାସ୍ତ କରାଯାଇଛି ବୋଲି ଇନଫୋସିସ୍ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ