ଓୟୋ ହୋଟେଲସ ଆଣ୍ଡ ହୋମସ୍ ସିଇଓ ନିଜର ଦରମା ପ୍ରଦାନ କଲେ
ଭୁବନେଶ୍ୱର : ଦେଶରେ କୋଭିଡ୍-୧୯ ସଂକ୍ରମଣ ଦେଖାଦେଇଥିବାବେଳେ ବିଶ୍ୱର ଅଗ୍ରଣୀ ହୋଟେଲ ଶୃଙ୍ଖଳା, ଗୃହ ତଥା ଜମିଜମା ଯୋଗାଣକାରୀ କମ୍ପାନୀ ଓୟୋ ହୋଟେଲସ ଆଣ୍ଡ ହୋମସର ପ୍ରତିଷ୍ଠାତା ତଥା ଗ୍ରୁପ୍ ସିଇଓ ନିଜର ଦରମା ତ୍ୟାଗ କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ସମ୍ପ୍ରତି କାରବାର ବାଧାପ୍ରାପ୍ତ ହୋଇଥିବାରୁ କମ୍ପାନୀକୁ ଚଳାଇ ରଖିବା ଉଦ୍ଦେଶ୍ୟ ନେଇ ସେ ଏଭଳି କରିଛନ୍ତି । ତାଙ୍କ ସହିତ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ୨୫ ପ୍ରତିଶତ ଦରମା ତ୍ୟାଗ କରିଥିବାବେଳେ ଅନ୍ୟ କିଛି ଅଧିକାରୀ ୫୦ ପ୍ରତିଶତ ପର୍ଯ୍ୟନ୍ତ ଦରମା ତ୍ୟାଗ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହା ୨୦୨୦ ଏପ୍ରିଲ୍ଠାରୁ ଲାଗୁ କରିବାକୁ ଯୋଜନା କରାଯାଇଛି । ସଙ୍କଟ ଜନକ ଆର୍ଥିକ ସ୍ଥିତିର ପ୍ରଭାବ ଯେପରି କମ୍ପାନୀ ଉପରେ ନ ପଡ଼ିବ ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସ୍ଥିତିରେ କର୍ମଚାରୀମାନେ କମ୍ପାନୀ ସହିତ ଛିଡ଼ା ହେବାକୁ ଠିକ୍ କରିଛନ୍ତି । ଯାହାଦ୍ୱାରା ଆଗାମୀ ଦିନରେ କମ୍ପାନୀର ପଥ ପ୍ରଶସ୍ତ ହୋଇପାରିବ । ଏହି ସ୍ଥିତିର ମୁକାବିଲା ପାଇଁ କମ୍ପାନୀର ପରିଚାଳନା ବୋର୍ଡ ପକ୍ଷରୁ ବହୁବିଧ କାର୍ଯ୍ୟଧାରା ଗ୍ରହଣ କରାଯାଇଛି । ୨୧ ଦିନିଆ ଲକ୍ଡାଉନ୍ ଯୋଗୁ ୧୦ ହଜାରରୁ ଅଧିକ ଓୟୋ ଉଦ୍ୟୋଗୀ ଏବଂ ହଜାର ହଜାର ପରିଚାଳନା କର୍ମଚାରୀଙ୍କୁ ଏହି ସମୟରେ କମ୍ପାନୀ ଦରମା ପ୍ରଦାନ କରିବାକୁ ନିଷ୍ପତି କରିଛି । ତେବେ କମ୍ପାନୀକୁ ସୁରକ୍ଷିତ ରଖିବା ଲାଗି ସିଇଓ ଏବଂ ଅଧିକାରୀମାନେ ଦରମା ପ୍ରଦାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଏବଂ ଗ୍ରୁପ୍ ସିଇଓ ରିତେଶ୍ ଅଗ୍ରୱାଲ କହିଲେ, ସାମ୍ପ୍ରତିକ ସ୍ଥିତିରେ ବିଶ୍ୱବ୍ୟାପୀ ସଙ୍କଟ ଦେଖାଦେଇଛି । ଏହି ମହାମାରୀ ସମୟରେ ଓୟୋ ଆଇସୋଲେଶନ କେନ୍ଦ୍ର ସ୍ଥାପନର ସହାୟତା ପାଇଁ ହାତ ବଢ଼ାଇଛି । ଏପରିସ୍ଥଳେ ମୁଁ ମୋର ଶତ ପ୍ରତିଶତ ଦରମା ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରିଛି । କୋଭିଡ୍-୧୯ ସହିତ ଲଢ଼େଇରେ ଆମେ କେତେକ ସତର୍କତା ପାଳନ କରିବା ସହିତ ଅନ୍ୟ ଲୋକଙ୍କୁ ସହାୟତା କରିବାର ଆବଶ୍ୟକତା ରହିଛି । ଆମେ ନିଜର ଲକ୍ଷ୍ୟ ହାସଲ କରିବା ଲାଗି କାର୍ଯ୍ୟ ଜାରି ରଖିବା ସହିତ ସଭିଏଁ ଯେଭଳି ଭଲରେ ରହିବେ ତାହାର ପ୍ରୟାସ କରିବା ଉଚିତ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓୟୋ ମେଡିକାଲ୍ ଷ୍ଟାଫ୍, ଏୟାରକ୍ରିୟୁ, କର୍ପୋରେଟ୍ ଟୁରିଷ୍ଟ୍, ବିଦେଶ ନାଗରିକଙ୍କୁ ବହୁବିଧ ସୁବିଧା ସୁଯୋଗ ଲକ୍ଡାଉନ୍ ସମୟରେ ଉପଲବ୍ଧ କରାଉଛି । ସେହିପରି କ୍ୱାରାଟାଂଇନ୍ରେ ମଧ୍ୟ ଆବଶ୍ୟକ ସହାୟତା ଯୋଗାଉ ଦେଉଛି । ସମ୍ପ୍ରତି ଓୟୋ ଆପୋଲୋ ହସ୍ପିଟାଲ ସହିତ ମିଳିତ ହୋଇ ସାନିଟାଇଜ୍ ଶଯ୍ୟା ସୁବିଧା ଉପଲବ୍ଧ କରାଇବାର ଯୋଜନା କରିଛି । ଏହା ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ୍, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କୋଲକାତା ଆଦି ୬ ଟି ସହରରେ ଉପଲବ୍ଧ ହେବ । ସେହିପରି କରୋନା ଯୋଦ୍ଧାଙ୍କ ପାଇଁ ଆବଶ୍ୟକ ଲଜିଂ ସୁବିଧା ଓୟୋ ହୋଟେଲ ତଥା ଓୟୋ ଲାଇଫ୍ର ମିଳିତ ସହଯୋଗରେ ଉପଲବ୍ଧ କରାଯିବ । ସୂଚନାଯୋଗ୍ୟ, ୨୦୧୩ରେ ବ୍ୟବସାୟ ଆରମ୍ଭ କରିଥିବା ଓୟୋ ସମ୍ପ୍ରତି ହୋଟେଲ, ଗୃହ ନିର୍ମାଣ ତଥା ଜମିଜମା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହା ଦ୍ୱାରା ୪୩,୦୦୦ ହୋଟେଲ ସ୍ଥାପିତ ହୋଇପାରିଛି । ଏସବୁ ହୋଟେଲର ରୁମ୍ ସଂଖ୍ୟା ୧ ନିୟୁତରୁ ଅଧିକ ରହିଛି । ସେହିପରି ଅବସରକାଳୀନ ଗୃହ ବ୍ୟବସାୟରେ ଏହାର ବିଶ୍ୱସ୍ତରରେ ୧୩୦,୦୦୦ରୁ ଅଧିକ ରୁମ୍ ରହିଛି । ଏହା ଆମେରିକା, ୟୁରୋପ, ୟୁକେ, ଭାରତ, ମଧ୍ୟପ୍ରାଚ୍ୟ, ଦକ୍ଷିଣପୂର୍ବ ଏସିଆ ଏବଂ ଜାପାନ ଆଦି ୮୦ଟି ଦେଶର ୮୦୦ରୁ ଅଧିକ ସହରରେ କାରବାର ଜାରି ରଖିଛି ।


