ଇମ୍ରାନ୍ଙ୍କ ଦଳରେ ମିଶିଲେ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା

ଇସ୍ଲାମାବାଦ୍(ଏଜେନ୍ସି): ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ଦାବି କରୁଥିବା ପାକିସ୍ତାନ ସରକାରଙ୍କ ଆଉ ଏକ ଅସଲ ଚରିତ୍ର ଏବେ ସାମ୍ନାକୁ ଆସିଛି । ଗୋଟିଏ ପଟେ ପାକ୍ ସରକାର ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତି ଥିବା ସଂଗଠନ ଉପରେ ନିଷେଧାଦେଶ ଜାରି କରୁଥିବା ଏବଂ ସଂଗଠନ ସଦସ୍ୟଙ୍କୁ ଗିରଫ କରାଯାଉଥିବା କହୁଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି ।
ମିଳିଥିବା ସଦ୍ୟ ସୂଚନାନୁସାରେ ପାକିସ୍ତାନରେ ବ୍ୟାନ୍ ହୋଇଥିବା ଏକ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଆଜି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସରକାରୀ ଦଳ ପାକିସ୍ତାନ-ଇ-ତେହେରିକ୍-ଇନସାଫ୍ (ପିଟିଆଇ)ରେ ଯୋଗଦେଇଛନ୍ତି । ପାକ୍ ମିଡିଆ ରିପୋର୍ଟ ଅନୁଯାୟୀ, ବ୍ୟାନ୍ ହୋଇଥିବା ହରକତ୍ ଉଲ୍ ମୁଜାହିଦ୍ଦିନର ପ୍ରତିଷ୍ଠାତା ମୌଲାନା ଫଜଲୁର ରେହମାନ ଖଲିଲ ଆଜି ଇମ୍ରାନ୍ ଖାନ୍ଙ୍କ ଉପସ୍ଥିତିରେ ତାଙ୍କ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ପାକିସ୍ତାନରେ ସରକାର ଗଢ଼ିଥିବା ପିଟିଆଇର ବରିଷ୍ଠ ନେତା ଅସଦ୍ ଉମର ଆଜି ଏସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି, କେବଳ ଫଜଲୁର ନୁହନ୍ତି ବରଂ ଫଜଲୁରଙ୍କ ଦଳର ସମସ୍ତ ସଦସ୍ୟ ଏବଂ ସମର୍ଥକମାନେ ମଧ୍ୟ ଆଜି ପିଟିଆଇରେ ସାମିଲ ହୋଇଛନ୍ତି । ଫଜଲୁରଙ୍କ ଯୋଗଦାନ ପିଟିଆଇକୁ ଆହୁରି ସଶକ୍ତ କରିବ ବୋଲି ଅସଦ୍ ଉମର କହିଛନ୍ତି । ପ୍ରକାଶ ଯେ, ଫଜଲୁର ନିର୍ଦ୍ଦେଶନାରେ ପରିଚାଳିତ ଆତଙ୍କୀ ସଂଗଠନ ବ୍ୟାନ୍ ହେବା ପରେ ସେ ଅନସାର୍ ଉଲ୍ ଉମ୍ମା ନାମକ ଏକ ରାଜନୈତିକ ଦଳଗଠନ କରିଥିଲା । ଏହି ରାଜନୈତିକ ଦଳ ଲୋକଙ୍କ ସେବା ଅପେକ୍ଷା ଆତଙ୍କବାଦକୁ ଅଧିକ ପ୍ରୋତ୍ସାହିତ କରିଆସୁଛି । ସଦ୍ୟ ଅନୁଷ୍ଠିତ ପାକିସ୍ତାନ ସାଧାରଣ ନିର୍ବାଚନରେ ମଧ୍ୟ ଫଜଲୁରର ଦଳ ପ୍ରାର୍ଥୀ ଦେଇଥିଲା । ଏବେ ଫଜଲୁର ପିଟିଆଇ ସହ ମିଶି ନିଜର ଆତଙ୍କୀ ସଂଗଠନକୁ ଆହୁରି ବୃଦ୍ଧି କରିବାର ଲକ୍ଷ୍ୟ ରଖିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ