ଇଞ୍ଜିନିୟରିଂ କଲେଜ ଓ ସ୍କୁଲ୍‌ରେ ଆଡମିସନ୍ ଆଳରେ ଠକେଇ ୨୫ଲକ୍ଷ ଠକେଇ : ବନ୍ଧାହେଲେ ଅଭିଯୁକ୍ତ

ଆନନ୍ଦପୁର, (ଓ୍ବାଇଏନଏସ): ଘରୋଇ ଇଞ୍ଜିନିୟରିଂ କଲେଜ ଓ ସ୍କୁଲ୍‌ରେ ଆଡମିସନ୍ କରାଇଦେବା ନାଁରେ ଲୋକଙ୍କୁ ଠକି ୨୫ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ତନ୍ମଧ୍ୟରୁ ଜଣେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମର ଆଶିଷ ରଞ୍ଜନ ନାୟକ(୩୨) ଓ  କୋରାପୁଟ ଜିଲ୍ଲା ପିଆରୂପେଟ୍ଟା ଅଞ୍ଚଳର ଶୁଭମ୍ ଭଟ୍ଟ(୨୫)। ଅଭିଯୋଗକାରୀ ମାର୍କଣ୍ଡ ମହାକୁଡ଼ଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ଵରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପୁଅ ଦେବାଶିଷ ସାହୁଙ୍କର ଆଡ୍‌ମିସନ୍ କରିବାକୁ ଚାହୁଥିଲେ । ଏହି ସମୟରେ ଶ୍ରୀ ମହାକୁଡ଼ ଆଶିଷ ଓ ଶୁଭମ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । ଆଡ୍‌ମିସନ୍ କରାଇଦେବାକୁ ପ୍ରତିଶ୍ରୁତି ଦେବାରୁ ଶ୍ରୀ ମହାକୁଡ଼ ଉଭୟଙ୍କୁ ପ୍ରଥମ କିଗ୍ରିରେ ୨,୬୦,୦୦୦ ଟଙ୍କା ଓ ଦ୍ଵିତୀୟ କିସ୍ତିରେ ୧,୮୦,୦୦୦ ଟଙ୍କା ଦେଇଥିଲେ। ଏହାର କିଛିଦିନ ପରେ ଶୁଭମ୍ ଶ୍ରୀ ମହାକୁଡ଼ଙ୍କୁ ଫୋନ୍ କରି ପୁଅର ଆଡ୍‌ମିସନ୍ ହୋଇଯାଇଥିବା କହିଥିଲା। ପୁଅର ହଷ୍ଟେଲ୍‌ ଓ ଖାଇବା ଖର୍ଚ୍ଚ ପାଇଁ ଆଉ ୧,୩୫,୦୦୦ ଟଙ୍କା ଦାବି କରିଥିଲା। ଏନେଇ ଶ୍ରୀ ମହାକୁଡ଼ ଫୋନ୍ ପେ ଜରିଆରେ ଶୁଭମ୍‌କୁ ଟଙ୍କା ଦେଇଥିଲେ | ପରେ ଶ୍ରୀ ମହାକୁଡ଼ ନିଜ ପୁଅଙ୍କୁ ନେଇ କଲେଜ ଓ ହଷ୍ଟେଲ୍‌ ଦେଖିବା ଲାଗି ଆସିଥିଲେ। ଏହି ସମୟରେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବାକୁ ପାଇଥିଲେ ଯେ ଦେବାଶିଷ ସାହୁ ନାମରେ କୌଣସି ଛାତ୍ରଙ୍କର ଆଡ୍‌ମିସନ୍ ହୋଇନାହିଁ। ଶ୍ରୀ ମହାକୁଡ଼ ଏ ବାବଦରେ ଶୁଭମ୍ ଓ ଆଶିଷକୁ ପଚାରିବାରେ ସେମାନେ କୌଣସି ଉତ୍ତର ଦେଇନଥିଲେ । ଏନେଇ ତମାଣ୍ଡୋ ଥାନାରେ ଶ୍ରୀ ମହାକୁଡ଼ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ତମାଣ୍ଡୋ ପୁଲିସ ଶୁଭମ୍ ଓ ଆଶିଷକୁ ପାତ୍ରପଡ଼ା ଅଞ୍ଚଳରୁ ଗିରଫ କରିଥିଲା । ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ଓଲଟପୁରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆଡମିସନ୍ କରିବା ଆଳରେ ଆଶିଷ ୩୦ଜଣ ଆଶାୟୀଙ୍କ ପାଖରୁ ୨୦ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଛି | ଟଙ୍କା ନେବା ପରେ ଆଶାୟୀଙ୍କୁ ଶିକ୍ଷାନୁଷ୍ଠାନର ନକଲି ରସିଦ୍ ମଧ୍ୟ ପ୍ରଦାନ କରିଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ପୁଲିସ କହିଛି। ଆଶିଷଙ୍କ ଦ୍ଵାରା ଆନନ୍ଦପୁର ଅଞ୍ଚଳର ଅନେକ ଛାତ୍ର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ମାନଙ୍କୁ ଆଡ଼ମିଶନ କରାଇଦେବା ନାମରେ ଟଙ୍କା ନେଇଥିଲେ ବି ଉକ୍ତ ଶିକ୍ଷାନୁଷ୍ଠାନରେ ଟଙ୍କା ଜମା ହୋଇ ନଥିବାରୁ ଛାତ୍ରମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ