ଚାଇଲ୍ଡ ହେଲ୍ପ ଲାଇନ ଓ ସଖୀ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ସଖିବଟ ମନ୍ଦିର ପରିସରରେ ଚଳିତମାସ ୫ତାରିଖରେ ଘଟିଥିବା ଏକ କନ୍ୟା ବିବାହ ଘଟଣାକୁ କେନ୍ଦ୍ର କରି ଚାଇଲ୍ଡ ହେଲ୍ପ ଲାଇନ ଓ ସଖୀର କର୍ମକର୍ତ୍ତା ମାନଙ୍କ ଉପରେ ଦୁର୍ବ୍ୟବହାର ଏବଂ ଆକ୍ରମଣ ସମ୍ବନ୍ଧୀୟ ଘଟଣା ପ୍ରକାଶ ପାଇଛି।ବିଶ୍ୱାସନୀୟ ସୂତ୍ରରୁ ସୂଚନା ପାଇ ଚାଇଲ୍ଡ ହେଲ୍ପ ଲାଇନ ଓ ସଖୀର କର୍ମକର୍ତ୍ତା ଏବଂ ମାର୍ଶାଘାଇ ସିଡିପିଓ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ କାଳୀନ କନ୍ୟାଙ୍କ ବୟସ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପରିଚୟ ପତ୍ରରେ ବୟସ ଜାଲିଆତି କରାଯାଇଥିବା ପ୍ରମାଣିତ ହେବା ପରେ କନ୍ୟାଙ୍କ ପ୍ରକୃତ ବୟସ ୧୬ ବର୍ଷ ବୋଲି ଜଣାପଡିଥିଲା।ବାଲ୍ୟ ବିବାହକୁ ରୋକିବା ପାଇଁ ଏହି ଟିମ୍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କନ୍ୟାଙ୍କ ମା,ମାମୁଁ ଏବଂ କିଛି ସମ୍ପର୍କୀୟ ବ୍ୟକ୍ତିମାନେ ଅସଭ୍ୟ ଭାଷା ବ୍ୟବହାର କରି ଦଳର ସଦସ୍ୟା ମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରୋଶମୂଳକ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା।ଏ ସମ୍ବନ୍ଧରେ ସମ୍ପୃକ୍ତ ଦଳ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କନ୍ୟାଙ୍କ ମା ଓ ମାମୁଁଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବାଲ୍ୟ ବିବାହ ନିରୋଧ ଆଇନର କଡାକଡି ପାଳନ ସହ ଏପରି ଅବୈଧ କାର୍ଯ୍ୟକଳାପରୁ ଜନସାଧାରଣ ନିବୃତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ