ପୋଖରୀରେ ବୁଡି ୨ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଓ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମ ପୋଖରୀରେ ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମ ଘଟଣାରେ ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ଏସ୍. ରାଜମଣୀ ରେଡ୍ଡୀ (୫୫) ସକାଳ ପ୍ରାୟ ୯ ଟା ରେ ବଜାପଲ୍ଲୀ ଗ୍ରାମ କୁ କୌଣସି କାମରେ ଯାଇଥିଲେ।ସେଠାରୁ ଫେରି ନିକଟସ୍ଥ ପୋଖରୀ ରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ। ଗ୍ରାମର କିଛି ବ୍ୟକ୍ତି ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଦିଗପହଣ୍ଡି ଥାନା ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିବା ପୂର୍ବରୁ ପରିବାର ଲୋକେ ମୃତଦେହ କୁ ଗ୍ରାମକୁ ନେଇ ତାଙ୍କ ଅନ୍ତିମ ସଂସ୍କାର କରିଦେଇଥିବା ପୋଲିସ କହିଛି । ସେହିପରି କୈଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର ବାଞ୍ଛାନିଧି ମହାରଣା (୬୬) ଗୁରୁବାର ସକାଳୁ ଦଶହରା ପୂଜା ନିମନ୍ତେ ନିକଟସ୍ଥ ଗ୍ରାମ ପେଣ୍ଡୁରାବାଡି ଗ୍ରାମକୁ ଫୁଲ ତୋଳିବା ପାଇଁ ଯାଇ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୈାଣସି ସନ୍ଧାନ ମିଳିନଥିଲା । ତେବେ ଶୁକ୍ରବାର ସକାଳେ ପରିବାର ଲୋକେ ଖବରପାଇ ପେଣ୍ଡୁରାବାଡି ଗ୍ରାମକୁ ଯାଇ ଖୋଜାଖୋଜି କରିବା ସମୟରେ ପୋଖରୀ ନିକଟରେ ତାଙ୍କର ଜୋତା ଓ ଛତା ପଡ଼ିଥିବା ଦେଖିଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସହାୟତାରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏପରିକି ପୋଖରୀରେ କୁମ୍ଭୀର ଭୟ ଥିବାରୁ ଘଟଣାସ୍ଥଳରେ ବନବିଭାଗ ଏବଂ ଦିଗପହଣ୍ଡି ଥାନା ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଚେଷ୍ଟାରେ ବୃଦ୍ଧଙ୍କ ଗଳିତ ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସ ଅପମୃତ୍ୟୁ ମାମଲା ନଂ.୩୯/୨୫ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଶନିବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି ।