2021 ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି 2021 ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା କୋପ୍ରାର ଏମଏସପିର 375 ଟଙ୍କା ବୃଦ୍ଧି କରାଯାଇଛି, ଯାହାକି 2020ରେ କ୍ବିଣ୍ଟାଲ ପ୍ରତି 9960 ଟଙ୍କାରୁ ବୃଦ୍ଧି ପାଇ 10335 ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି। ଗୋଲ କୋପ୍ରାର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି 300 ଟଙ୍କା ବୃଦ୍ଧି କରାଯାଇଛି, ଯାହାକି 2020ରେ କ୍ବିଣ୍ଟାଲ ପ୍ରତି ଦର 10300 ଟଙ୍କାରୁ ବୃଦ୍ଧି ପାଇ 2021 ଋତୁ ପାଇଁ 10600 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ କୋପ୍ରା ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏମଏସପି ମୂଲ୍ୟ 51.87 ପ୍ରତିଶତ ଅଧିକ ହୋଇଛି। ସେହିପରି ଗୋଲ କୋପ୍ରା କ୍ଷେତ୍ରରେ ଉତ୍ପାଦନ ବ୍ୟୟଠାରୁ 55.76 ପ୍ରତିଶତ ଅଧିକ ମୂଲ୍ୟପ୍ରାପ୍ତି ସୁନିଶ୍ଚିତ କରାଯାଇଛି ଏହି ମଞ୍ଜୁରି, କୃଷି ବ୍ୟୟ ଏବଂ ମୂଲ୍ୟ (ସିଏସିପି) ଆୟୋଗର ସୁପାରିସ ଉପରେ ଆଧାରିତ। ଏମଏସପିକୁ ଉତ୍ପାଦନ ବ୍ୟୟର ଦେଢ଼ଗୁଣା କରିବା ଲାଗି ସରକାର 2018-19 ବଜେଟରେ ଘୋଷଣା କରିଥିଲେ। ଏହାକୁ ଆଧାର କରି 2021 ଋତୁ ପାଇଁ କୋପ୍ରାର ଏମଏସପିରେ ଏହି ବୃଦ୍ଧି କରାଯାଇଛି। 2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ ସର୍ବନିମ୍ନ 50 ପ୍ରତିଶତ ଲାଭ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ। ନଡ଼ିଆ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଭାରତୀୟ ଜାତୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ (ନାଫେଡ) ଏବଂ ଭାରତୀୟ ଜାତୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ଏମଏସପି କାର୍ଯ୍ୟକାରୀ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ