ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମର ଯୁବକ ସଂଘ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗାଁରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ମରାମତି କରିଛନ୍ତି ଗ୍ରାମର ଯୁବକସଂଘ। ତୁମୁଡିବନ୍ଧ ବ୍ଲକ ସଦରମହକୁମା ଠାରୁ କୋଟଗଡ ପିଚୁ ରାସ୍ତାରେ ପ୍ରାୟ ୨ କିମି ଯିବାପରେ ସେଠାରୁ କାଲିସା ପଦରକୁ ରହିଛି ମାଟି ରାସ୍ତା। ୪ବର୍ଷ ପୂର୍ବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଏହି ମାଟିରାସ୍ତା କାମ ହୋଇଥିଲା। ମାତ୍ର ମୋରମ ବିଛାଯାଇ ନ ଥିଲା। ଚାଉଳ ନଦୀରୁ ବାଲି ବୋଝେଇ ଟ୍ରକ ଉକ୍ତ ରାସ୍ତାରେ ଯାଉଥିବାରୁ ଦିନ କେଇଟାରେ ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଫଳରେ କାଲିସା ପଦରରେ ବସବାସ କରୁଥିବା ୧୫୦ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ। ବର୍ଷାହେଲେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରେ ନାହିଁ। ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡେ। କାଲିସାପଦର ଯୁବକ ସଂଘ ସଦସ୍ୟମାନେ ଏହି ରାସ୍ତାକୁ ମରାମତି କରିଛନ୍ତି। ଏନେଇ ସଂଘ ସଭାପତି ବିକାଶ ମଲିକ କୁହନ୍ତି, ଲକ୍‌ଡାଉନ ଯୋଗୁ ଆମର ପ୍ରାୟ ୬ଟି ଟ୍ରାକ୍ଟର ଘର ଆଗରେ ରହିଥିଲା। ଗ୍ରାମବାସୀଙ୍କୁ ଅବଗତ କରାଇବା ପରେ ପ୍ରାୟ ୨୦ ଜଣ ଯୁବକ ଏହି ରାସ୍ତା କାର୍ଯ୍ୟ କରିଛୁ। ଏନେଇ ତୁମୁଡିବନ୍ଧ ବିଡିଓ ଅଗସ୍ତି ପ୍ରଧାନଙ୍କୁ ପଚାରିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ