ବ୍ଲକ ସ୍ତରୀୟ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ, ଗଞ୍ଜାମ ପକ୍ଷରୁ କୋଭିଡ-୧୯ ସ୍ୱୟଂସିଦ୍ଧାଙ୍କୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ସମ୍ପନ୍ନ ହୋଇଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳି ବ୍ଳକ ଖଣ୍ଡରା ରାଜୀବ ଗାନ୍ଧୀ ବହୁ ମୁଖୀ ସେବା କେନ୍ଦ୍ରଗୃହରେ ନୋଡ଼ାଲ ଅଧିକାରୀ କିଶୋର ସାହୁଙ୍କଙ୍କ ତତ୍ତ୍ୱାବଧାନରେ ଆମ ସ୍ୱାସ୍ଥ୍ୟ-ଆମ ଦାୟିତ୍ବ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର,ସିଡିପିଓ ଶୁଭଶ୍ରୀ ପାତ୍ର, ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଉପାଧ୍ୟକ୍ଷା ପ୍ରତିନିଧି ଅଶୋକ କୁମାର ପଣ୍ଡା ଓ ସରପଞ୍ଚ ଲକ୍ଷ୍ମଣ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ।ସମ୍ପ୍ରତି କରୋନାର ଦୃତ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇ ଗଞ୍ଜାମ ଜିଲ୍ଲାର ସ୍ଥିତି ଦୋହଲାଇ ଦେଇଛି।ଏହାକୁ ପ୍ରତିହତ କରିବା ନିମନ୍ତେ ପଞ୍ଚାୟତ ସ୍ତରରେ କୋଭିଡ -୧୯ ସ୍ୱୟଂସିଦ୍ଧାଙ୍କୁ ପ୍ରଶିକ୍ଷଣ ଦେଇ କରୋନା ସଚେତନତା ଉପରେ ପ୍ରାଧାନ୍ୟ ଦିଆଯାଇଛି।ଏହି ଅବସରରେ ଜିଲ୍ଲାରେ କରୋନା ସ୍ଥିତି, ସଂକ୍ରମଣର ମାଧ୍ୟମ,୧୨ଟି ସାଧାରଣ ଲକ୍ଷଣ, ୪ ସାଙ୍ଘାତିକ ଲକ୍ଷଣ, ଅଧିକ ପ୍ରଭାବିତ ବ୍ୟକ୍ତି ଏବଂ ଏହାର ନିରାକରଣ ସଂକ୍ରାନ୍ତରେ ସ୍ୱୟଂସିଦ୍ଧା ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା।ମୁଖ୍ୟତଃ ଗୃହ ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ସମେତ ଗ୍ରାମବାସୀ ଘରୁ ବାହାରିଲା ବେଳେ ମାସ୍କ ବ୍ୟବହାର କରିବା,ନିୟମିତ ବ୍ୟବଧାନରେ ହାତକୁ ସାବୁନରେ ବାରମ୍ବାର ଧୋଇବା ଏବଂ ଜନ ସମାଗମ ହେଉଥିବା ସାମାଜିକ କାର୍ଯ୍ୟକ୍ରମରୁ ଦୁରେଇ ରହିବା ସହ ନିଜକୁ ପରିଷ୍କାର ଓ ପରିଚ୍ଛନ୍ନତା ମଧ୍ୟରେ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟ ଯୋଦ୍ଧାଙ୍କ ସହ ସମନ୍ୱୟ ରଖି ଗ୍ରାମରେ କରୋନା ସଚେତନକୁ ବ୍ୟାପକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ ହିଁ ଏହାକୁ ସଫଳ ମୁକାବିଲା କରି ପାରିବା ବୋଲି ପ୍ରଶିକ୍ଷକ ବନଜା ବେହେରା ଓ ନଳିନୀ ସିଂ ଉପସ୍ଥିତ ସ୍ୱୟଂସିଦ୍ଧାମାନଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସହାୟିକା ଏବଂ ସ୍ଵୟଂ ସହାୟିକା ଗୋଷ୍ଠୀର ମା ମାନେ କର୍ମଶାଳା ରେ ଅଂଶ ଗ୍ରହଣ କରିଥିଲେ।ପ୍ରକାଶ ଥାଉକି ହିଞ୍ଜିଳି ବ୍ଲକର ୨୧ଟି ପଞ୍ଚାୟତରେ ଗତ ୩ ଦିନ ଧରି କୋଭିଡ ମୁକାବିଲା କ୍ଷେତ୍ରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିପାଇଁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ୪୯ ଜଣଙ୍କୁ ପ୍ରଶିକ୍ଷକ ଭାବେ ନିୟୋଜିତ କରାଯାଇ କରୋନାର ସଫଳ ମୁକାବିଲା ପାଇଁ ପ୍ରୟାସ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ