ଶିଶୁକନ୍ୟାର ମୃତ୍ୟୁ ସଂଗରୋଧ କେନ୍ଦ୍ରରେ

ଖଡିଆଳ (ଓ୍ବାଇଏନ୍ଏସ୍) : ଖଡିଆଳ ବ୍ଲକ ଖୁଦପେଜ ପଂଚାୟତର ଚଲାନପଡା ସଂଗରୋଧ କେନ୍ଦ୍ର-୨ ରେ ଶନିବାର ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଯାଇଛି । ଖଡିଆଳ ବ୍ଲକ ସାନମହେଶ୍ୱର ପଂଚାୟତର ଝୋଲପଥର ଗ୍ରାମର ଡାକ୍ତର କାଲସେ ଏବଂ ଜ୍ୟୋତ୍ସା କାଲସେଙ୍କର ଶିଶୁ କନ୍ୟା ବର୍ଷା ବୋଲି ଜଣାପଡିଛି । ସୂଚନାମତେ ଡାକ୍ତର କାଲସେ ତାଙ୍କ ପତ୍ନୀ ଏବଂ ନିଜର ୪ ପୁଅଝିଅଙ୍କୁ ନେଇ ଆନ୍ଧ୍ରପ୍ରଦେଶକୁ ଇଟା ଗଢିବାକୁ ଯାଇଥିଲେ । ଲକଡାଉନ ପରେ ପରେ ସରକାରଙ୍କ ପ୍ରବାସୀ ଶ୍ରମିକ ପଞ୍ଜିକରଣରେ ସେମାନେ ତାଙ୍କ ପଂଚାୟତରେ ପଞ୍ଜିକରଣ କରିଥିଲେ । ସରକାରଙ୍କ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗତ ୪ ତାରିଖ ଦିନ ଆନ୍ଧ୍ରପ୍ରଦେଶରୁ ଡାକ୍ତର କାଲସେଙ୍କ ପରିବାର ଆସି ବଲାଙ୍ଗିର ଠାରେ ୫ ତାରିଖ ସକାଳ ସମୟରେ ପହଂଚିଥିଲେ । ସେଠାରୁ ନୂଆପଡା ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କୁ ଜିଲାର ଖଡିଆଳକୁ ଅଣାଯାଇଥିଲା । ଖଡିଆଳ ଠାରେ ପଞ୍ଜିକରଣ ପରେ ସେମାନଙ୍କୁ ୫ ତାରିଖ ଅପରାହ୍ନ ୪ଘଂଟା ସମୟରେ ଖୁଦପେଜ ପଂଚାୟତର ଚଲାନପଡା ସଂଘରୋଧ କେନ୍ଦ୍ର-୨ରେ ଅଣାଯାଇଥିଲା । ହେଲେ ପୂର୍ବରୁ ଡାକ୍ତର କାଲସେଙ୍କ ଶିଶୁକନ୍ୟାଙ୍କୁ ଝାଡା ଏବଂ ଜ୍ୱର ହେଉଥିବା ବେଳେ ସଂଘରୋଧ କେନ୍ଦ୍ର ପହଂଚିବା ପରେ ଅଧିକ ହୋଇଥିଲା । ଏନେଇ ବାପା ଡାକ୍ତର କାଲସେ ଦାୟୀତ୍ୱରେ ଥିବା ଅଧିକାରୀ, ଜନ ପ୍ରତିନିଧିଙ୍କୁ ଜଣାଇ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ । ହେଲେ ଶିଶୁକନ୍ୟାଙ୍କୁ ଚିକିତ୍ସା କରାଯାଇନଥିଲା । ଶୁକ୍ରବାର ସଂଧ୍ୟା ସମୟରେ ସ୍ୱାସ୍ଥ୍ୟକର୍ମୀ ଆସି ଔଷଧ ଦେଇଥିଲେ । ହେଲେ ଶନିବାର ଭୋର ପ୍ରାତଃ ୪ ଘଂଟା ସମୟରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ବାପା ଡାକ୍ତର କାଲସେ ଏବଂ ମାଁ ଜ୍ୟୋତ୍ସା କାଲସେ ଚିକିତ୍ସା ଅବହେଳା କାରଣରୁ ତାଙ୍କର ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ଚରଣ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଶିଶୁଟି ଅପପୃଷ୍ଟିର ଶିକାରରେ ପଡି ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଶିଶୁକନ୍ୟାଟିର କୋଭିଡ ସ୍ୱାବ ଟେଷ୍ଟ ମଧ୍ୟ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କୁ ହରାଇଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଝୋଲପଥର ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ