ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଅଟକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗ୍ରାମର କିଛି ଯୁବକ ହତ୍ୟା ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଆହତ ଜଣକ ହିଞ୍ଜିଳି ଥାନା ତଥା ପୁରୁଷୋତମପୁର ବ୍ଳକ ଅନ୍ତରିଗାଁର ପିଂଟୁ ବେରୋ (୨୭) ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁରୁଷୋତମପୁର ବ୍ଳକ ଅନ୍ତରିଗାଁର ପିଂଟୁଙ୍କ ସହ ସେହି ଗ୍ରାମର କିଛି ଯୁବକଙ୍କ ସହ କୌଣସି କଥାକୁ କେନ୍ଦ୍ର କରି ସୁରତରେ କାମ କରୁଥିବା ସମୟରେ ଶତୃତା ଲାଗି ରହିଥିଲା । ପିଂଟୁ ଗତ ୮ ମାସ ପୂର୍ବେ ସୁରତରୁ ଗ୍ରାମକୁ ଫେରିଥିଲେ । କିଛି ଦିନ ପୂର୍ବେ ଗ୍ରାମର ଅପର ଗୋଷ୍ଠୀର କିଛି ଯୁବକ ମଧ୍ୟ ଗ୍ରାମକୁ ଫେରିଥିଲେ । ଶୁକ୍ରବାର ସକାଳେ କୌଣସି କଥାକୁ କେନ୍ଦ୍ର କରି ପିଂଟୁଙ୍କ ସହ ସେହି ଗ୍ରାମର କିଛି ସୁରତ ପେରନ୍ତା ଯୁବକଙ୍କ ସହ କଥା କଟା କାଟି ହୋଇଥିଲା । ପରେ ଗୋଷ୍ଠୀର ଯୁବକ ମାନେ ପିଂଟୁଙ୍କୁ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଶନିବାର ଭୋରରୁ ପିଂଟୁଙ୍କ ହାତ ଗୋଡ଼ ଓ ପାଟି ବନ୍ଧା ହୋଇ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ସଦସ୍ୟ ଘଟଣା ସ୍‌ତଳରେ ପଂହଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଶନିବାର ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ସଂପୃକ୍ତ ଗ୍ରାମରେ ପଂହଚି ଘଟଣାର ତଦନ୍ତ ଚଳାଇଛି । ଆହତଙ୍କ ପରିବାର ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିବା ଜଣାପଡ଼ିଛି । ଘଟଣଶ ପରେ ପୁଲିସ ଗ୍ରାମର ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ ଘଟଣା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରାଯାଇଥଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟ ପକ୍ଷରେ ପ୍ରେମ ସର୍ମ୍ପକକୁ କେନ୍ଦ୍ର କରି ପିଂଟୁଙ୍କ ସହ ଗ୍ରାମର କିଛି ଯୁବକଙ୍କ ମତାନ୍ତର ହୋଇଥିବା ନେଇ ଗ୍ରାମରେ ଚର୍ଚ୍ଚା ଚାଲିଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!