ବର୍ଷେ ନପୁରୁଣୁ ଦବିଲା ରାସ୍ତା,ସଂପ୍ରସାରଣ ନାମରେ ଅର୍ଥ ଆତ୍ମସାତ
ନାଉଗାଁ, (ଓ୍ବାଇଏନ୍ଏସ୍) :ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଠାରୁ କୁଣ୍ଡେଶ୍ୱର ପର୍ଯ୍ୟନ୍ତ ୪କିମି ରାସ୍ତା ପୂର୍ତ ବିଭାଗ ଅଧିନରେ ରହିଛି । ଏହି ରାସ୍ତାଟିର ଉଭୟ ପାଶ୍ୱର୍କୁ ୨୦୧୯ ମସିହାରେ ସଂପ୍ରସାରଣ କରାଯାଇଥିଲା । ନିୟମାନୁସାରେ ରାସ୍ତାର ଉଭୟ ପାଶ୍ୱର୍ ୩ ଫୁଟ ଲେଖାଏଁ ଚଉଡା କରାଯିବା ସହିତ ଏହାର ଉଚ୍ଚତା ୧୦ ଇଂଚ କରାଯିବ । ଉକ୍ତ ୧୦ ଇଂଚ ମଧ୍ୟରେ ୬ ଇଂଚ ମେଟାଲ ଓ ୪ ଇଂଚ ଚିପ୍ସରେ କାର୍ଯ୍ୟରେ ହେବ । କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ସରକାରୀ ନିୟମକୁ ବେଖାତିର କରି ମନଇଚ୍ଛା ରାସ୍ତା ସଂପ୍ରସାରଣ କରିଥିବା ଜଣାଯାଇଛି । ଉଭୟ ପାଶ୍ୱର୍ ୩ ଫୁଟ ପରିବର୍ତେ ପାଖାପାଖି ୨ ଫୁଟ ଚଉଡା କରାଯାଉଥିବା ବେଳେ ଉଚ୍ଚତା ୧୦ଇଂଚ ପରିବର୍ତେ ପାଖାପାଖି ୬ ଇଂଚ କରାଯାଇଥିବା ଅଭିଯୋଗ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତାଟି ଦୀର୍ଘ ଏକ ବର୍ଷ ହେବ ସଂପ୍ରସାରଣ କରାଯାଇଥିବା ବେଳେ ବର୍ତମାନ ଉଭୟ ପାଶ୍ୱର୍ରେ ମାଟି ପଡୁଥିବା ଦେଖାଯାଉଛି । କିନ୍ତୁ ସଂପ୍ରସାରଣ ହୋଇଥିବା ରାସ୍ତାଟିର ଢଳେଇ ଦିନ କେଇଟା ମଧ୍ୟରେ ଦବିବା ସହିତ ଫାଟିବା ଆରମ୍ଭ କଲାଣି । ଏହି ରାସ୍ତାଟି ନାଉଗାଁ ବ୍ଳକରେ ହୋଇଥିଲେ ମଧ୍ୟ ବାଲିକୁଦା ବ୍ଳକର ବିଭିନ୍ନ ପଂଚାୟତକୁ ସଂଯୋଗ କରୁଅଛି । ଏପରିକି ଏହି ରାସ୍ତା ଦେଇ ବାଲିକୁଦାରୁ ବହୁ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଅଲଣାହାଟ, ମୁଣ୍ଡାଳ ବଜାର ଆଦି ଆସୁଥିବା ବେଳେ ପୁରୀ ଓ ଭୁବନେଶ୍ୱର ଆଦି ଯାଗାକୁ ଯାଉଥିବା ଦେଖାଯାଇଛି । ସେହିପରି ଉକ୍ତ ବ୍ଳକରୁ ମଧ୍ୟ ଏହି ରାସ୍ତା ଦେଇ ବାଲିକୁଦାକୁ ବିଭିନ୍ନ କାର୍ଯ୍ୟରେ ଲୋକମାନେ ଯାଇଥାନ୍ତି । ଉକ୍ତ ରାସ୍ତାର ସଂପ୍ରସାରଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ଦବିବା ସହିତ ଫାଟିବା ଆରମ୍ଭ କରିଥିବାରୁ ସ୍ଥାନୀୟ ଅଂଚଳର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟରେ ପୂର୍ତ ବିଭାଗ ଅଧିନରେ ହେଉଥିବା ସମସ୍ତ କାର୍ଯ୍ୟର କୌଣସି ସୂଚନା ଫଳକ ନଥିବାରୁ କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କାର ଅନୁଦାନ ଆସୁଛି । କାର୍ଯ୍ୟର ନିୟମାବଳୀ ସଂର୍ପକରେ କୌଣସି ତଥ୍ୟ ସର୍ବସାଧାରଣରେ ଦର୍ଶାଯାଉନାହିଁ । ଯାହାର ଫାଇଦା ନେଇ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରା ନିମ୍ନମାନର କାର୍ଯ୍ୟ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟର ସୂଚନା ଫଳକ ଲଗାଇବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଏବିଷୟକୁ ନେଇ ବିଭାଗୀୟ ଏସଡିଓଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।