ଵେକରେ ଛୁରୀ ଲଗାଇ ଲୁଟ ଘଟଣା , ଲୁଟେରାଙ୍କ ଟେର ପାଉନି ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ୧୦ ତାରିଖ ବୁଧବାର ଦିନ ଦିପହରରେ ସ୍ପଷ୍ଟ ଦିବାଲୋକରେ ହିଞ୍ଜିଳିଥାନା ଅଞ୍ଚଳରେ ୨ଟି ଲୁଟ ଘଟଣା ଘଟିଥିଲା। ପ୍ରଥମ ଲୁଟ ଘଟଣା ସାରୁ-ଆମ୍ବଗାଁ ଆରଡ଼ି ରାସ୍ତାର ଘାଇ ପାଖରେ ଘଟି ଥିବା ବେଳେ ଅନ୍ୟଟି କିଛି ସମୟ ବ୍ୟବଧାନରେ ରାଳବ-ଶାସନ ଆମ୍ବଗାଁ ମୁଖ୍ୟ ରାସ୍ତାର ଗୁଡ଼ିଆ ନାଳ ସ୍ଥାନରେ ସଂଘଟିତ ହୋଇଥିଲା। ମାସ୍କ ପିନ୍ଧିଥିବା ୬ଜଣ ଲୁଟେରା ୩ଟି ବାଇକରେ ଆସି ପୃଥକ ସ୍ଥାନରେ ଘଟିଥିବା ଲୁଟ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଦୁର୍ବୃତ୍ତ ମାନେ ପ୍ରଥମେ ଶାସନ ଆମ୍ବ ଗାଁର ମାଛ ବିକାଳୀ ସୁବାସ ବେହେରାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ବେକରେ ସ୍ପ୍ରୀଂଛୁରୀ ଲଗାଇ ଟଙ୍କା ମାଗିଥିଲେ। ପୁଣି ଛୁରୀ ଦେଖାଇବା ସହ ଦୁର୍ବୃତ୍ତ ମାନେ ତାଙ୍କୁ ପିଟା ପିଟି କରି ଜୋର ଜବରଦସ୍ତ ୩୫୦୦/-ଟଙ୍କା, ମୋବାଇଲ ଓ ଏକ୍ସିଲ ଗାଡିର କାଗଜପତ୍ର ଛଡାଇ ନେଇ ଆମ୍ବଗାଁ ଦିଗରେ ଚମ୍ପଟ ମାରିଥିଲେ।ପୁଣି ରାଳବ-ଶାସନ ଆମ୍ବଗାଁ ରାସ୍ତାର ଗୁଡ଼ିଆ ନାଳ ନିକଟରେ ବୁଡୁ ପଟ୍ଟନାୟକଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ୨୫୦୦/-ଟଙ୍କା ଓ ମୋବାଇଲ ନେଇ ରାଳବ ରାସ୍ତାରେ ଛୁଟି ଥିଲେ।ଲୁଟର ଶିକାର ହୋଇଥିବା ମାଛ ବେପାରୀ ସୁବାସ ଏନେଇ ୧୧ ତାରିଖ ଗୁରୁବାର ସ୍ଥାନୀୟ ପୋଲିସ ଥାନାରେ ଏକ ଅଭିଯୋଗ କରିଥିଲେ।ପୋଲିସ ଏକ ମାମଲା ରୁଜୁ କରି ଚୁପ ବସିଛି। ଦୀର୍ଘ ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମିତି କିଛି ପଦକ୍ଷେପ ନ ନେଇ କେବଳ ହିଞ୍ଜିଳି ଥାନା କେଶ ନଂ୧୯୪/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଆଣ୍ଠେଇ ରହିଛି।ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାର ଛାନଭିନ କରି ପାରୁନାହିଁ। ଅନୁସନ୍ଧାନରେ ବି ବିଶେଷ ଅଗ୍ରଗତି ହୋଇ ପାରିନାହିଁ। ଫଳରେ ପୋଲିସ ଲୁଟେରାଙ୍କ ନିକଟତର ହେବାରେ ବିଳମ୍ବିତ ଘଟିଛି।ଏପରି ସ୍ଥିତିରେ ପୋଲିସ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି।ସ୍ଥାନୀୟ ଅଞ୍ଚଳରେ ଲକ ଡାଉନ, ସଟ ଡାଉନ ଏବଂ ଅନଲକ-୧ ପରିସ୍ଥିତି ରେ ଜୀବିକା ହରାଇ ପେଟ ପାଟଣା ଚିନ୍ତା କରୁଥିବା ଛୋଟ ଛୋଟ ବୁଲା ବେପାରୀଙ୍କ ପରିବାର ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।ଅନ୍ୟ ପକ୍ଷରେ ସ୍ଥାନୀୟ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଏକ ଡକାୟତ ଦଳର ୮ଜଣ ସଦସ୍ୟଙ୍କୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରି ବଡ ସଫଳତା ହାସଲ କରିଛି। ଗୋଟିଏ ପଟେ ବହୁ ବଡ ବଡ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରୁଥିବା ପୋଲିସ କିନ୍ତୁ ସଦ୍ୟ କାଣ୍ଡ ଭିଆଇଥିବା ଲୁଟେରାଙ୍କ ଟେର ନ ପାଇବା ଚିନ୍ତାର କାରଣ ହୋଇଛି।ଯଦି ପୋଲିସ ଗୁଜରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ବେଙ୍ଗାଲୁରୁ ଆଦି ରାଜ୍ୟରୁ ହିଞ୍ଜିଳିକୁ ଫେରିଥିବା ଅସାମାଜିକ ଗୋଷ୍ଠୀଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଅଗ୍ରସର ହେବ ତେବେ ସାଧାରଣ ଲୋକ ଆଶ୍ବସ୍ତି ହୋଇ ନିସ୍ତାର ପାଇବେ।ନଚେତ ସାଧାରଣ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ପୋଲିସର କାର୍ଯ୍ୟ ଦକ୍ଷତା ଦାଣ୍ଡରେ ପଡି ହାଟରେ ଗଡିବ ବୋଲି ଜନମତ ସୃଷ୍ଟି ହେବା ଅସ୍ବୀକାର କରିହେବନି।ଏଣୁ ବେଳ ଥାଉ ଥାଉ ବାଳ ବାନ୍ଧିଲେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି ସଚେତନ ନାଗରିକ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ