ମଣିଷ ଭାଲୁ ମୁହାଁମୁହିଁ, ଭାଲୁ ସମେତ ଦୁଇ ମୃତ
ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ବଡ଼ବାହାଲ ରେଞ୍ଜ ବଣିଆବନ୍ଧ ଗ୍ରାମର ୫ ଜଣ ଲୋକ ରଜ ପର୍ବ ଅବସରରେ ଜଙ୍ଗଲକୁ ମହୁ ଖାଇବା ପାଇଁ ଯାଇଥିଲେ । ଅଞ୍ଚଳରେ ପରମ୍ପରା ରହିଛି ରଜ ପର୍ବ ଅବସରରେ ଲୋକେ ଜଙ୍ଗଲକୁ ମହୁ ଖାଇବାକୁ ଯାଇଥାନ୍ତି । ହଠାତ ଏକ ଭାଲୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଫଳରେ ବଣିଆ ବନ୍ଧ ଗ୍ରାମର ଚେରୁ ମୁଣ୍ଡା (୫୦) ଓ କୃଷ୍ଣ ମୁଣ୍ଡା (୪୮) ଙ୍କ ମୃତ୍ୟୁ ହୋଇଥିଲା । ସେହିପରି ସାଙ୍ଗରେ ଥିବା ଅଷାଢ଼ୁ ମୁଣ୍ଡା (୪୦) ଗୁରୁତର ଆହତ ହୋଇ ଦୌଡ଼ି ସେଠାରୁ ଗାଁକୁ ପଳେଇଥିଲେ । ତେବେ ଆଉ ଦୁଇ ଜଣ ସୁବଳ ମୁଣ୍ଡା ଓ ସୁବନ ମୁଣ୍ଡା ଜୀବନ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ । ନରହନ୍ତା ଭାଲୁର ଚିକ୍ରାର ଏତେ ଭୟଙ୍କର ଥିଲା ଯେ ପାଖକୁ ଯିବାକୁ କେହି ସାହସ କରିପାରିନଥିଲେ । ତଥାପି ଗ୍ରାମବାସୀ ଏ ନେଇ ବନବିଭାଗକୁ ସୂଚନା ଦେବା ସହ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇ ଭାଲୁକୁ ଘଉଡ଼ାଇ ଥିଲେ ଓ ଗଛ ଉପରେ ଥିବା ସୁବଳ ଓ ସୁବନଙ୍କୁ ଉଦ୍ଧାର କରିଥିଲେ । ଭାଲୁ ମୃତଦେହ ଜଗିଛି ବୋଲି ବାଣ ଫୁଟାଇଥିଲେ । କିନ୍ତୁ ପରେ ଯାଇ ଦେଖିବା ବେଳକୁ ମଧ୍ୟ ମଧ୍ୟ ମରି ପଡ଼ିଥିଲା । ଶେଷରେ ଭାଲୁ ଓ ମଣିଷ ଲଢେ଼ଇରେ ଭାଲୁ ମଧ୍ୟ ପ୍ରାଣ ହରାଇଛି । ବନ ବିଭାଗ ବଡ଼ ବାହାଳ ରେଞ୍ଜ ଅଧିକାରୀ ପ୍ରଜ୍ଞା ପାରମିତା ଦୀପ ଓ ଅନ୍ୟାନ୍ୟ କର୍ମଚାରୀ ତଥା ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଘଟଣା ସ୍ଥଳକୁ ଯାଇ ଦୁଇ ମୃତ ଦେହ ଉଦ୍ଧା କରିବା ସହ ଭାଲୁର ମୃତଦେହ ମଧ୍ୟ ଉଦ୍ଧାର କରିଛନ୍ତି । ସୋମବାର ଉଭୟ ଗ୍ରାମବାସୀଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।