ଖରିଫ,୨୦୨୦ ନିମନ୍ତେ ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ
ବାଲେଶ୍ୱର (ସରୋଜ ପଣ୍ଡା) : ଖରିଫ ୨୦୨୦ ନିମନ୍ତେ ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ସ୍ଥାନୀୟ ଓସୱାନ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏହି ବୈଠକରେ ଅଧ୍ୟକ୍ଷତା କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବ୍ଲକର କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ୨୦୧୯-୨୦ ରବି ଋତୁର ଲକ୍ଷ୍ୟ ହାସଲ ଏବଂ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଖରିଫ ଋତୁ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କୃଷି ଅଧିକାରୀମାନେ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର, ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଡିଆରସିଏସ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରଶ୍ମି ରଞ୍ଜନ ପାତ୍ର, ଏଲଡିଏମ ଶ୍ରୀ ସୁଦୀପ ଡାକୁଆ, ବିବିସିସି ବ୍ୟାଙ୍କର ଏଜିଏମ ଶ୍ରୀ ଅଭିରାମ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁବୋଧ କୁମାର ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମଗୁଡିକ ଉପରେ ଆଲୋକପାତ କରିଥିଲେ । ୨୦୨୦ ଖରିଫ ଋତୁରେ ଚାଷୀମାନଙ୍କର ଉତ୍ପାଦନ ଖର୍ଚ୍ଚକୁ କମାଇବା, ଉନ୍ନତମାନର ବିହନ ଯୋଗାଣ ସହ ତାହାର ବ୍ୟବହାର ପାଇଁ ଚାଷୀମାନଙ୍କୁ ପ୍ରବର୍ତାଇବା, ସଏଲ ହେଲଥ କାର୍ଡ ବଂଟନ ସହ ଚାଷ ଜମିର କିସମ ଅନୁଯାୟୀ ଚାଷ କାମ କରିବା, ଧାଡିରୁଆ, ଉଠା ଜଳସେଚନ ପ୍ରତି ଧ୍ୟାନ ଦେବା, ଠିକ ସମୟରେ ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବସିଡି ପ୍ରଦାନ, ଜୈବିକ କୃଷିକୁ ଲୋକପ୍ରିୟ କରାଇବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର କାର୍ଯ୍ୟକାରିତା ପ୍ରଭୃତି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚଳିତ ଖରି‘ ଋତୁରେ କୃଷି ବିଭାଗ ତରଫରୁ ୧ ଲକ୍ଷ ୯୭ହଜାର ୮୭୧ ହେକ୍ଟର ଜମିରେ ଧାନ ଫସଲ ଏବଂ ୧୯,୩୬୮ ହେକ୍ଟର ଜମିରେ ଅଣଧାନ ଫସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଣଧାନ ଫସଲ ମଧ୍ୟରେ ଡାଲିଜାତୀୟ, ମକା, ଚିନାବାଦାମ, ଝୋଟ, ପନିପରିବା, ଅଦା, ହଳଦୀ, ଲଙ୍କା, ଆଖୁ ଇତ୍ୟାଦି ଚାଷ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଉଦ୍ୟାନକୃଷି ବିଭାଗ ତରଫରୁ ଆମ୍ବ, କଦଳୀ, ଅମୃତଭଣ୍ଡା, ଶଙ୍କରଜାତୀୟ(ହାଇବ୍ରିଡ) ପନିପରିବା ଇତ୍ୟାଦି ଚାଷ କରାଯିବା ଯୋଜନା ଥିବା ସୂଚନା ଦିଆଯାଇଥିଲା । ଆଜିର ବୈଠକରେ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ସଂପର୍କରେ ଗୃହକୁ ଅବଗତ କରାଇଥିଲେ ।