କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୨ ହଜାରରୁ ଊର୍ଦ୍ଧ୍ବ ମୃତ, ୧୦ ହଜାର ୯୭୪ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ରେକଡର୍ ଭାଙ୍ଗିଛି ଭାରତ। ପ୍ରଥମ ଥର ପାଇଁ ଭାରତରେ ଗୋଟିଏ ଦିନରେ ୨ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ କୋରୋନା ଭୂତାଣୁ କାରଣରୁ ପ୍ରାଣ ହରାଇଛନ୍ତି। ସେହିପରି ମଙ୍ଗଳବାର ଲଗାତର ଷଷ୍ଠ ଦିନ ପାଇଁ ଦେଶରେ ୧୦ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଠାବ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ବୁଧବାର ପୂର୍ବାହ୍ନ ସୁଦ୍ଧା ଦେଶରେ ସଦ୍ୟ ୨ ହଜାର ୩ ଜଣଙ୍କ ମୃତ୍ୟୁ ସମେତ ମୋଟ ୧୧ ହଜାର ୯୦୩ ଜଣ ମୃତ୍ୟୁବରଣ କରିସାରିଛନ୍ତି। ସେହିପରି ମଙ୍ଗଳବାର ୧୦ ହଜାର ୯୭୪ ଜଣ ଆକ୍ରାନ୍ତ ହେବା ଫଳରେ ଦେଶରେ ମୋଟ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫୫ ହଜାର ୨୨୭ ଜଣ ଚିକିତ୍ସାଧୀନ ଥିବା ବେଳେ ୧ ଲକ୍ଷ ୮୬ ହଜାର ୯୩୫ ଜଣ ସୁସ୍ଥତା ଲାଭ କରିସାରିଛନ୍ତି। ତେବେ ଦେଶରେ ଲଗାତର ଭାବେ ସୁସ୍ଥତା ହାର ବଢ଼ିଚାଲିଛି। ବୁଧବାର ପୂର୍ବାହ୍ନ ସୁଦ୍ଧା ଦେଶରେ ୫୨.୭୯ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି।
ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ସବା ଉପରେ ଥିବା ବେଳେ ଏଠାରେ ୧ ଲକ୍ଷ ୧୩ ହଜାର ୪୪୫ ଜଣ ଆକ୍ରାନ୍ତ ଠାବ ହୋଇସାରିଛନ୍ତି। ସେହିପରି ତାମିଲନାଡ଼ୁରେ ୪୮ ହଜାର ୧୯ ଓ ରାଜଧାନୀ ଦିଲ୍ଲୀରେ ୪୪ ହଜାର ୬୮୮ ଜଣ ଆକ୍ରାନ୍ତ ରହିଥିବା ବେଳେ ଏହି ଦୁଇ ରାଜ୍ୟ ଯଥାକ୍ରମେ ଦ୍ବିତୀୟ ଓ ୩ୟ ସ୍ଥାନରେ ରହିଛନ୍ତି। ଏହାଛଡ଼ା ଗୁଜରାଟରେ ୨୪ ହଜାର ୫୭୭ ଓ ଉତ୍ତର ପ୍ରଦେଶରେ ୧୪ ହଜାର ୯୧ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ମହାରାଷ୍ଟ୍ର ଏକ ନମ୍ବରରେ ରହିଛି। ଏହି ରାଜ୍ୟରେ ଅଦ୍ୟାବଧି କୋରୋନା ସଂକ୍ରମଣ କାରଣରୁ ୫ ହଜାର ୫୩୭ ଜଣଙ୍କ ଜୀବନ ଯାଇସାରିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ୧ ହଜାର ୮୩୭, ଗୁଜରାଟରେ ୧ ହଜାର ୫୩୩, ତାମିଲନାଡ଼ୁରେ ୫୨୮ ଓ ପଶ୍ଚିମବଙ୍ଗରେ ୪୯୫ ଜଣ ମୃତ୍ୟୁବରଣ କରିଛନ୍ତି। ବିଶ୍ବରେ ସର୍ବାଧିକ ପ୍ରଭାବିତ ଦେଶ ସୂଚୀରେ ଭାରତ ଆମେରିକା, ବ୍ରାଜିଲ୍ ଓ ରୁଷିଆ ପରେ ଚତୁର୍ଥ ସ୍ଥାନରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ