ସରକାରୀ ସଂସ୍ଥାଗୁଡିକ ଦ୍ୱାରା ଗହମ ସଂଗ୍ରହ ପରିମାଣ ସର୍ବକାଳୀନ ରେକର୍ଡରେ
ନୂଆଦିଲ୍ଲୀ : ଚାଷୀମାନଙ୍କଠାରୁ ଗହମ ସଂଗ୍ରହ କରିବାରେ ସରକାରୀ ସଂସ୍ଥାଗୁଡିକ ଚଳିତ ଜୁନ ୧୬ ତାରିଖ ସୁଦ୍ଧା ସର୍ବକାଳୀନ ରେକର୍ଡ ହାସଲ କରିଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଭଣ୍ଡାର ପାଇଁ ମୋଟ ୩୮୨ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ସଂଗୃହୀତ ହୋଇଛି । ୨୦୧୨-୧୩ରେ ଏ କ୍ଷେତ୍ରରେ ଯେଉଁ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା ଏ ବର୍ଷ ତା’ଠାରୁ ଅଧିକ ଖାଦ୍ୟଶସ୍ୟ ଏହି ସମୟରେ ସଂଗୃହୀତ ହୋଇଛି । ୨୦୧୨-୧୩ରେ ଏହି ସଂଗ୍ରହ ପରିମାଣ ଥିଲା ୩୮୧.୪୮ ଲକ୍ଷ ମେଟ୍ରିକ ଟନ । କରେନା ମହାମାରୀ ସଂକ୍ରମଣ ଭଳି ଏକ ସଂକଟଜନକ ସମୟରେ ସାରା ଦେଶରେ ଲକଡାଉନ ଜାରି ସତ୍ତ୍ୱେ ଖାଦ୍ୟଶସ୍ୟ ସଂଗ୍ରହରେ ଏହି ସଫଳତା ମିଳିଛି । ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ଫଳରେ ଧାନ ଓ ଗହମ ସଂଗ୍ରହ ୧୫ ଦିନ ବିଳମ୍ବିତ ହୋଇଥିଲା । ତେଣୁ ଏହି କାମ ଏପ୍ରିଲ ୧୫ ଠାରୁ ଆରମ୍ଭ ହୋଇଥିଲା । ବିଶେଷ କରି ଅଧିକ ଗହମ ଉତ୍ପାଦନ କରୁଥିବା ରାଜ୍ୟଗୁଡିକରୁ ଏପ୍ରିଲ ପହିଲାରୁ ଗହମ ସଂଗ୍ରହ ହୋଇଥାଏ । ଏଥର ତାହା ବିଳମ୍ବିତ ହୋଇଥିବାରୁ ସଂପୃକ୍ତ ରାଜ୍ୟ ସରକାର ତଥା ଭାରତୀୟ ଖାଦ୍ୟ ନିଗମ ଭଳି ସବୁ ସରକାରୀ ସଂସ୍ଥା ବିଶେଷ ତତ୍ପରତା ଦେଖାଇ ସଂକ୍ରମଣ କାଳରେ ନିରାପଦ ଉପାୟରେ ଏହି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏଥର ଚାଷୀଙ୍କଠାରୁ ଗହମ ଓ ଧାନ ସଂଗ୍ରହ ନିମନ୍ତେ ୨୧,୮୬୯ଟି କେନ୍ଦ୍ର ଖୋଲାଯାଇଥିଲା । ଗତବର୍ଷଠାରୁ ଏହି ସଂଖ୍ୟା ୭୦୩୧ ଅଧିକ । ପାରମ୍ପରିକ ମଣ୍ଡି ସହିତ ସବୁ ସମ୍ଭାବ୍ୟ ସ୍ଥାନରେ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ସୁବିଧାରେ ଖାଦ୍ୟଶସ୍ୟ ସଂଗୃହୀତ ହୋଇଛି । ଏହା ଫଳରେ ଚାଷୀମାନେ ମଣ୍ଡିରେ ଭିଡ ନକରି ସୁବିଧାରେ ନିଜ ନିଜର ଧାନ, ଗହମ ବିକି ପାରିଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରିପାରିଛନ୍ତି । ପ୍ରତିଦିନ ମଣ୍ଡିକୁ କେତେ ଖାଦ୍ୟଶସ୍ୟ ଆସୁଥିଲା ଟେକ୍ନୋଲଜି ପ୍ରୟୋଗ କରି ତାହାର ହିସାବ ରଖିବା ସହ ଚାଷୀମାନଙ୍କୁ ଟୋକନ ଦିଆଯାଇ ବିକ୍ରିବଟାର ସୁବନ୍ଦୋବସ୍ତ କରାଯାଇଥିଲା । ଫଳରେ ଚାଷୀ ଅଯଥାରେ ଆସି ମଣ୍ଡିରେ ଭିଡ ଜମାଉନଥିଲେ । ମଣ୍ଡିଗୁଡିକୁ ନିୟମିତଭାବେ ସାନିଟାଇଜ କରାଯାଉଥିଲା ଏବଂ କେଉଁ ଜାଗାରେ ଚାଷୀ ନିଜର ଉତ୍ପାଦ ରଖିବ ତାହା ମଧ୍ୟ ନିର୍ଦ୍ଧାରିତ ହେଉଥିଲା । ଫଳରେ ମଣ୍ଡିଗୁଡିକ ଲୋକ ଭିଡ଼ ଯୋଗୁଁ କରୋନା ଭୂତାଣୁ ସଂକ୍ରମଣ କେନ୍ଦ୍ର ପାଲଟିବାର ଅବକାଶ ନଥିଲା । ସମଗ୍ର ଦେଶରେ କୌଣସି ମଣ୍ଡିରେ ଏଥର କରୋନା ସଂକ୍ରମଣ ଘଟଣା ଘଟିନାହିଁ । ଚଳିତ ବର୍ଷ ମଧ୍ୟପ୍ରଦେଶ କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ୧୨୯ ଲକ୍ଷ ମେଟ୍ରିକ ଟନ ଗହମ ଯୋଗାଇଛି ଏବଂ ପଞ୍ଜାବକୁ ପଛରେ ପକାଇ ଦେଇଛି । ଏଥର ପଞ୍ଜାବରୁ ୧୨୭ ଲକ୍ଷ ମେଟ୍ରିକ ଟନ ଗହମ ସଂଗୃହୀତ ହୋଇଛି । ସେହିଭଳି ହରିୟାନା, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ମଧ୍ୟ ଗହମ ସଂଗ୍ରହ ଉଲ୍ଲେଖନୀୟ ରହିଛି । ସମଗ୍ର ଦେଶର ୪୨ ଲକ୍ଷ ଚାଷୀ ଏହି ସଂଗ୍ରହ ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ଗହମ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ୭୩,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ଭଣ୍ଡାରକୁ ବିପୁଳ ପରିମାଣର ଖାଦ୍ୟଶସ୍ୟ ଆସିଥିବାରୁ ଏବେ ଭାରତୀୟ ଖାଦ୍ୟ ନିଗମ ଆଗାମୀ ଦିନରେ ଦେଶର ଲୋକଙ୍କ ଅତିରିକ୍ତ ଖାଦ୍ୟ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ । ଏହି ସମୟ ମଧ୍ୟରେ ୧୧୯ ଲକ୍ଷ ମେଟ୍ରିକ ଟନ ଧାନ ସରକାରୀ ସଂସ୍ଥାଗୁଡିକ ଦ୍ୱାରା ଚାଷୀଙ୍କଠାରୁ ସଂଗୃହୀତ ହୋଇଥିଲା । ଏଥିପାଇଁ ୧୩,୬୦୬ ସଂଗ୍ରହ କେନ୍ଦ୍ର ଖୋଲାଯାଇଥିଲା । ସର୍ବାଧିକ ଧାନ ୬୪ ଲକ୍ଷ ମେଟ୍ରିକ ଟନ ତେଲଙ୍ଗାନାରୁ ସଂଗୃହୀତ ହୋଇଛି । ଏହା ପଛକୁ ୩୧ ଲକ୍ଷ ମେଟ୍ରିକ ଟନ ଧାନ କେନ୍ଦ୍ରୀୟ ଭଣ୍ଡାରକୁ ଯୋଗାଇ ଆନ୍ଧ୍ର ଦ୍ୱିତୀୟ ସ୍ଥାନରେ ରହିଛି । ନିମ୍ନରେ ପ୍ରଦତ୍ତ ଟେବୁଲରେ କେଉଁ ରାଜ୍ୟରୁ କେତେ ଗହମ ଓ ଧାନ ସଂଗୃହୀତ ହୋଇଛି ତାହାର ତଥ୍ୟ ପ୍ରଦାନ କରାଯାଇଛି ।