ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ, ଆନ୍ଦୋଳନ କରିବାକୁ ଚେତାବନୀ

ନାଉଗାଁ, (ଓ୍ବାଇଏନ୍ଏସ୍) : ବଛାଳୋ ପଂଚାୟତର ଅଲଣା-୨, କୁଣ୍ଡିଗାଁ ଓ ବଛାଳୋ ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଜୁନ ୧ ତାରିଖରେ ଏକ ଲିଖିତ ଅଭିଯୋଗ ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରିଥିଲେ । ଅଭିଯୋଗ ପାଇବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ସେମାନେ ଜୁନ ୧୦ ତାରିଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଅଭିଯୋଗ କରିଥିଲେ । ବ୍ଳକ ପ୍ରଶସାନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଯଦି ଉକ୍ତ ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଅଭିଯୋଗ ମୁତାବକ ଉକ୍ତ ୩ ଗ୍ରାମର ଚାଷ ଜମି ଓ ଗ୍ରାମରୁ ପାଣି ନିଷ୍କାସନ ପାଇଁ ଅଲଣା-୨ରୁ ବଛାଳୋ ଯିବା ରାସ୍ତାରେ ଏକ ପୋଲ ରହିଅଛି । ଏହି ପୋଲଟି ସଂପୂର୍ଣ୍ଣ ଗୋଚରରେ ରହିଥିବା ବେଳେ ଏହା ମାଧ୍ୟମରେ ଚାଷ ଜମି ସମେତ ଗ୍ରାମରୁ ବର୍ଷା ଜଳ ନିଷ୍କାସନ ହୋଇଥାଏ । ନାଉଗାଁରୁ ବଛାଳୋକୁ ଯିବା ଆସିବା କରିବା ପାଇଁ ଏକ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାଟି ନିର୍ମାଣ କରାଯାଉଛି । ଏହି ଗ୍ରାମରୁ ଜଳ ନିଷ୍କାସନ ପାଇଁ ପୂର୍ବରୁ ରହିଥିବା ପୁରୁଣା ପୋଲଟିକୁ ସଂପୃକ୍ତ ଠିକାଦାର ଭାଙ୍ଗି ନୂତନ ଭାବେ ପୋଲ ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିବା ବେଳକୁ କୁଣ୍ଡିଗ୍ରାମର ଜୈନିକ ବ୍ୟକ୍ତି ଓ ତାଙ୍କ ପୁଅ ପୋଲ କାର୍ଯ୍ୟକୁ ବନ୍ଦ ରଖିଛନ୍ତି । ଯାହାଫଳରେ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେବା ସହିତ ଗ୍ରାମରୁ ମଧ୍ୟ ବର୍ଷା ପାଣି ନିଷ୍କାସନ ହୋଇପାରିବ ନାହିଁ । ଯାହାଦ୍ୱାରା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଯାତାୟତାରେ ବାଧା ସୃଷ୍ଟି ହେବ । ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ଓ ଚାଷୀମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ