ବୀରପୁତ୍ରଙ୍କୁ ଝୁରିଲା ମାଟି, ପଞ୍ଚଭୂତରେ ଲୀନ ହେଲେ ନନ୍ଦୁରାମ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଭାରତ-ଚୀନ ସୀମା ଭଲୱାନ ଉପତ୍ୟକାରେ ସୋମବାର ବିଳମ୍ବିତ ରାତିରେ ଉଭୟ ପକ୍ଷରେ ସୈନ୍ୟଙ୍କ ମଧ୍ୟରେ ଲଢେଇରେ ଭାରତର ୨୦ଜଣ ସୈନିକ ଶହୀଦ ହୋଇଥିବା ବେଳେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ବଡଚମ୍ପାଉଦା ଗ୍ରାମର ୧୬ ବିହାର ରେଜିମେଣ୍ଟର ୪୨ ବର୍ଷୀୟ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ଗୁରୁବାର ରାତି ଅଢେଇଟା ପାଖାପାଖି ସମୟରେ ରାଇରଙ୍ଗପୁର ଟାଉନ ଥାନା ପରିସରରେ ପହଞ୍ଚିଥିଲା । ଶୁକ୍ରବାର ସକାଳ ୫ଟା ସମୟରେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ନବ ନିର୍ମିତ ଈଚିଣ୍ଡା ଗୃହକୁ ନିଆଯାଇଥିଲା ।ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ରାଇରଙ୍ଗପୁର ସହର ପରିକ୍ରମା କରାଯିବା ସହ ତାଙ୍କର ପୈତୃକ ଗାଁକୁ ନିଆଯାଇଥିଲା । ଦିର୍ଘ ୪ଦିନ ପରେ ଶହୀଦଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ଓ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେବାପାଇଁ ଦିର୍ଘ ୮କିମି ରାସ୍ତା ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକ ଶୋକାକୁଳ ଛିଡା ହୋଇ ଅଶ୍ରୁଳ ଶ୍ରଦ୍ଧାସୁମନ ଜଣାଇଥିଲେ । ଦେଶ ପାଇଁ ବଳିଦାନ ଦେଇଥିବା ସହୀଦ ନନ୍ଦୁରାମ ଅମର ରହେ ,ଭାରତମାତା କି ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ । ତାଙ୍କର ପୈତୃକ ଗ୍ରାମରେ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସେହି ସମୟରେ ତାଙ୍କର ପତ୍ନୀ ଲକ୍ଷ୍ମୀ ରାଣୀ ସୋରେନ ଏବଂ ୩ କନ୍ୟା ଉପସ୍ଥିତ ଥିଲେ । ପ୍ରଶାସନ ପକ୍ଷରୁ ମୟୂରଭଂଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପରମେଶ୍ୱର ପୁରୁଷୋତ୍ତମ, ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ଏସଡିପିଓ ସ୍ନେହାଶିଷ ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଲୋକସଭା ସାଂସଦ ଇଂବିଶେଶ୍ୱର ଟୁଡୁ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ବିଜେପି ରାଜ୍ୟ ସଂପାଦକ ନବିନ ରାମ, ମୟୁରଭଞ୍ଜ ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ,ପ୍ରାକ୍ତନ ଏସଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାର କଣା ବିଧାୟକ ଡାକ୍ତର ବୁଢ଼ାର ମୁର୍ମୁ , ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ଏବଂ ବହୁ ନେତୃବୃନ୍ଦ ଉପସ୍ଥିତ ରହି ବୀରଙ୍କୁ ଶ୍ରଦ୍ଧା ସୁମନ ଜଣାଇଥିଲେ ।ପରେ ସାନ୍ତାଳୀ ସମ୍ପ୍ରଦାୟର ରୀତି ଅନୁସାରେ କ୍ରିୟା କର୍ମ କରାଯାଇ ଗାଁ ଖେଳ ପଡିଆରେ ଶେଷକୃତ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ