ଅଧାବାଟରେ ଛାଡିଲା ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲା ମୃତ ଦେହ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ଅଧିନ ଆପଣ୍ଡା ଛକ ଠାରୁ ବାଲିପୁର ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଆମ୍ବୁଲାନ୍ସ ଯୋଗେ କଟିଣା ଗ୍ରାମକୁ ଯାଉଥିବା ମୃତ ଦେହ ଅଧା ବାଟରେ ରହିବା ଏବଂ ସେଠାରୁ ଟ୍ରଲି ଯୋଗେ ମୃତ ଦେହକୁ ବୋହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଗୁରବାର କଟିଣା ଗ୍ରାମର କରୁଣାକର ସାମଲ(୭୩) ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ଶୁକ୍ରବାର ସକାଳେ କଟକରେ ଚିକିତ୍ସାଧିନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ପ୍ରଦୀପ, ଦିଲ୍ଲୀପ, ଝିଅ ବିଦ୍ୟୁତ୍ପ୍ରଭା, ଦୀପ୍ତିମୟୀ, ସୁନନ୍ଦା, ତୃପ୍ତିମୟୀ, ଜ୍ୱାଇଁ ଇଂ.ମନୋଜ, ସନ୍ତୋଷ ଓ ପ୍ରଶାନ୍ତ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିବା ବେଳେ ଆପଣ୍ଡା-ବାଲିପୁର ରାସ୍ତାର କିଛି ବାଟ ଗଲା ପରେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସ ଚାଳକ ଅଧାବାଟରେ ମୃତ ଦେହକୁ ଓହ୍ଲାଇ ଦେଇ ଚାଲି ଯାଇଥିଲା । ପରେ ପରିବାର ଲୋକେ ଏକ ଟ୍ରଲି ସହାୟତାରେ ମୃତ ଦେହକୁ ଘରକୁ ନେଇଥିବା ଦେଖାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ୨୦୧୭ ମସିହା ଠାରୁ ଆପଣ୍ଡା ଛକ ଠାରୁ ବାଲିପୁର ୨କିମି ବିଶିଷ୍ଟ ରାସ୍ତା ଅଦ୍ୟାବଧି ମରାମତି କରାଯାଇନାହିଁ । ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି । ବର୍ଷା ହେବା ଫଳରେ ରାସ୍ତାରେ ଏବେ ଆଣ୍ଠୁଏ ପାଣି ଜମି ରହିଛି । ଲୋକ ମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସଟିଏ ଗ୍ରାମ ମଧ୍ୟକୁ ଯାଇପାରୁନାହିଁ । ଏହି ରାସ୍ତା ଉପରେ ଆପଣ୍ଡା, ବାଲିପୁର, କଟିଣା ସମେତ ବହୁ ଗ୍ରାମର ଲୋକେ ନିର୍ଭର କରୁଛନ୍ତି । ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଏହି ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।