ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ଆଜି ପୂର୍ବାହ୍ନରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପଦମପୁର ଗ୍ରାମ ପଂଚାୟତର ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇଛି । ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଉଦଘାଟନ କରିଥିଲେ । କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ମକଡ୍ରିଲ ସମୟରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପିନ୍ଧିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସେହିପରି ମକଡ୍ରିଲ ପୂର୍ବରୁ ଏବଂ ପରେ ଆଶ୍ରୟସ୍ଥଳୀଗୁଡିକର ବିଶୋଧନ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସାରା ରାଜ୍ୟରେ ମକଡ୍ରିଲ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୪୦ଟି ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଓସଡାମା (ଙଝଊଗଇ) ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ସଦର ବିଡିଓ ଶ୍ରୀ ନରେନ୍ଦ୍ର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡିକର ସ୍ଥିତି ସଂପର୍କରେ ସଠିକ ତଥ୍ୟ ହାସଲ କରିବା ଲାଗି ମକଡ୍ରିଲ ସହାୟକ ହୋଇଥାଏ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା । ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ, କମ୍ୟୁନିଟି ମୋବିଲାଇଜର ଶ୍ରୀ ଆନନ୍ଦ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ