ପୁଣି ଭାରତ ଫେରୁଛନ୍ତି ଉର୍ଜିତ ପଟେଲ

ନୂଆଦିଲ୍ଲୀ: ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟ କାଳ ଶେଷ ହେବାର କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ଚାଲିଯାଇଥିବା ଉର୍ଜିତ ପଟେଲ ପୁଣି ଭାରତ ଫେରୁଛନ୍ତି । ତାଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (ଏନଆଇପିଏଫପି)ର ଅଧ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଚଳିତ ମାସ ୨୨ ତାରିଖରୁ ସେ ଏହି ପଦରେ ଯୋଗ ଦେବେ । ଚାରି ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । ତାଙ୍କ ପୂର୍ବରୁ ବିଜୟ କେଲକାର ଏହି ପଦରେ ୨୦୧୪ ନଭେମ୍ବର ପରଠାରୁ କାର୍ଯ୍ୟ କରୁଥିଲେ । ୨୦୧୬ରେ ଭାରତରେ ବିମୁଦ୍ରୀକରଣ ଘୋଷଣା ହେବା ବେଳେ ଉର୍ଜିତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସେହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା କୌଣସି ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଦେଖିବାକୁ ମିଳିନଥିଲା । ରିଜର୍ଭ ବ୍ୟାଙ୍କ ପାଣ୍ଠି ଉପରେ ସରକାରଙ୍କ ନଜର ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ସରକାରଙ୍କ ସହିତ ଉର୍ଜିତଙ୍କ ମତ ଭେଦ ଦେଖାଦେଇଥିଲା । ୨୦୧୮ ବେଳକୁ ସରକାରଙ୍କ ସହିତ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା । ଏକ ଅଭାବନୀୟ ଘଟଣା କ୍ରମେ ୨୦୧୮ ଡିସେମ୍ବର ୧୦ରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକରେ ଚାରି ଦିନ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ୨୦୧୯ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ଉର୍ଜିତ ପୁଣି ଭାରତ ଫେରୁଥିବାର ଅର୍ଥ ଏହା ହେଉଛି ସରକାରଙ୍କ ସହିତ ଯେଉଁ ମତ ଭେଦ ରହିଥିଲା ତାହା ବୋଧ ହୁଏ ଦୂର ହୋଇଯାଇଛି । ସାଧାରଣତଃ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ସୁଯୋଗ ମିଳେ । ମାତ୍ର ଉର୍ଜିତଙ୍କ ପୂର୍ବରୁ ଏହି ପଦ ସମ୍ଭାଳୁଥିବା ରଘୁରାମ ରାଜନଙ୍କୁ ଦ୍ୱିତୀୟ ସୁଯୋଗ ମିଳିନଥିଲା । ଉର୍ଜିତ କିନ୍ତୁ ଦ୍ୱିତୀୟ ସୁଯୋଗ ପାଇବାକୁ ହକଦାର ଥିଲେ ମଧ୍ୟ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇ ଚାଲିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ