ଖୁବ୍ ଶୀଘ୍ର ଛାତ୍ର ବିଜେଡି ସଭାପତି ଚୟନ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସର ଯୁବ ସଭାପତି ବଦଳିଛନ୍ତି । ଆଉ ବିଜେଡିରେ ଛାତ୍ର ସଭାପତି ବଦଳିବେ । ବିଜେଡି ଅନ୍ଦର ମହଲରେ ଏହାକୁ ନେଇ ଜୋର ଚର୍ଚ୍ଚା । ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଛାତ୍ର ସଭାପତି ଲାଗି ଚିନ୍ତା କରୁଛନ୍ତି । ଯୋଗ୍ୟ ପ୍ରାର୍ଥୀକୁ ପୁରସ୍କୃତ କରାଯିବ । ଏହି ଖବର ଏବେ ବିଜେଡି କରିଡରରେ ଘୂରି ବୁଲୁଛି । ସେପଟେ ମଉକା ଦେଖି ଲବି ଆରମ୍ଭ କଲେଣି ଆଶାୟୀ ନେତା । ରେସ୍ରେ ଆଗରେ ଅଛନ୍ତି ଦୁଇ ବିଧାୟକ ଓ ଦୁଇ ପ୍ରଭାବଶାଳୀ ଛାତ୍ରନେତା । ଆଶାୟୀ ନମ୍ବର ଓ୍ୱାନ୍ ହେଲେ ଟୁବୁ ଓରଫ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ସେ ଏବେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅଛନ୍ତି । ଦଳ ସଂଗଠନରେ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତ୍ରିପାଠୀଙ୍କ ପତିଆରା ରହିଛି । ନିଜେ ଟୁବୁ ଗଲା ବର୍ଷେ ମଧ୍ୟରେ ବିଧାୟକ ଭାବେ ଭଲ ପରିଚୟ ସୃଷ୍ଟି କରିଛନ୍ତି । ସେ ନିଜକୁ ଦାବିଦାର ଭାବେ ଆଗରେ ରଖିଥିବା କୁହାଯାଉଛି । ଆଶାୟୀ ନମ୍ବର-୨ ହେଉଛନ୍ତି ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ । ଯୁବ ଓ ପ୍ରତିଭାବାନ୍ ଚେହେରା ଭାବେ ସାରା ରାଜ୍ୟରେ ତାଙ୍କର ଆଦୃତି ରହିଛି । ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ମଧ୍ୟ ଦଳରେ ପ୍ରଭାବ ରହିଛି । ସୌଭିକଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ବିଜେଡି ସୁପ୍ରିମୋ ତାଙ୍କ କଥା ମଧ୍ୟ ବିଚାର କରୁଥିବେ ବୋଲି କୁହାଯାଉଛି । ଅନ୍ୟ ଦୁଇ ଆଶାୟୀ ପ୍ରଥମ ଦୁଇଙ୍କ ଭଳି ପ୍ରଭାବଶାଳୀ ନଥିଲେ ବି ଛାତ୍ର ନେତା ଭାବେ ବେଶ୍ ଦକ୍ଷ । ଜଣେ ହେଉଛନ୍ତି ସଂଗଠନର ଏବେର ମହାସଚିବ ହରିଶଙ୍କର ରାଉତା ଅନ୍ୟଜଣେ ସାଧାରଣ ସଂପାଦକ ପାର୍ଥସାରଥୀ ମୁଦୁଲି। ପୂର୍ବରୁ ସେ ରେଭେନ୍ସାର ଛାତ୍ରସଂସଦ ସଭାପତି ହୋଇସାରିଛନ୍ତି । ଗତ ୩ବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୪ହଜାର ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ତାଙ୍କ ଲାଗି ଦଳର କିଛି ଆଗଧାଡିର ନେତା ଲବି କରୁଛନ୍ତି । ଅନ୍ୟପକ୍ଷରେ, ପାର୍ଥସାରଥୀ ମଧ୍ୟ ତୃଣମୂଳସ୍ତରରୁ ଦଳର ସଂଗଠନ ଲାଗି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିଭିନ୍ନ କଲେଜରେ ପାର୍ଥଙ୍କ ନିଜସ୍ୱ ପତିଆରା ରହିଛି । ପ୍ରତିଥର ଛାତ୍ର ସଂଗଠନ ସଭାପତି ଲାଗି ତାଙ୍କ ନାମ ଚର୍ଚ୍ଚାରେ ଥାଏ । କିନ୍ତୁ ସବୁଥର ସେ ନିରାଶ ହୋଇଛନ୍ତି । ହେଲେ ଏଥର ତାଙ୍କ ପରିଶ୍ରମ ଓ ପ୍ରତିଭା ଆଧାରରେ ଦଳର ସଭାପତ ତାଙ୍କୁ ପୁରସ୍କୃତ କରିବେ ବୋଲି ସେ ଆଶାବାଦୀ । ସେପଟେ ଏବେ ଛାତ୍ର ବିଜେଡିର ସଭାପତି ଥିବା ରାଣାପ୍ରତାପ ପାତ୍ର ପୁଣି ଥରେ ସଭାପତି ଦୌଡରେ ଅଛନ୍ତି । ତାଙ୍କ ସମୟରେ ବିଜେଡିର ଛାତ୍ର ସଂଗଠନ ଅଧିକ ମଜଭୁତ ହୋଇଥିବା ଦର୍ଶାଇ ନିଜ ଲବିକୁ ଜୋରଦାର କରିଛନ୍ତି । ତେବେ ଏସବୁ ଲବି ଓ ଲଢେ଼ଇ ଭିତରେ ଦଳର ସଭାପତି ନବୀନ ପଟ୍ଟନାୟକ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛନ୍ତି ତାକୁ ହିଁ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ